Unknown

 

 

 

 

 

 

 

 

 

 

 

ହେମଶସ୍ୟ

ମାୟାଧର ମାନସିଂହ

 

ଉତ୍ସର୍ଗ

 

ସେବା, ସଖ୍ୟ, ସହାନୂଭୁତିରେ ସେ ମୋର ପ୍ରକୃତ ସଖା ହୋଇ ଅଛନ୍ତି, ସେହି ବନ୍ଧୁ, ଭଗବତି ଚରଣ ପାଣିଗ୍ରାହୀଙ୍କ କର କମଳରେ ଗୋଟିଏ ପରିଣୀତ ଜୀବନର ଏକ କାହାଣୀ ଅର୍ପଣ କଲି ।

 

ନୂତନ ସଂସ୍କରଣର ଭୂମିକା

 

‘ହେମଶସ୍ୟ?’ ବୋଧହୁଏ ୧୯୩୨ରେ ଆଜିକି ୨୬ବର୍ଷ ତଳେ ପ୍ରଥମେ ମୁଦ୍ରିତ ହୋଇଥିଲା । ଲେଖକର କେତେକ କଲେଜ-ସହପାଠିମାନଙ୍କ ଦ୍ଵାରା ଗଠିତ ‘ପ୍ରଗତି-ସଂଘ’ ଏହାର ପ୍ରକାଶକ ହୋଇଥିଲେ ।

 

୧୯୪୫ରେ ତତ୍କାଳୀନ ଷ୍ଟୁଡେଣ୍ଟସ୍‍ ଷ୍ଟୋର ‘ପ୍ରେମଶସ୍ୟ’ ନାମକ ଲେଖକର ଏକ କବିତା ସଂଗ୍ରହରେ ‘ହେମଶସ୍ୟ’ର ଅଧିକାଂଶ କବିତା ପ୍ରକାଶ କରିଥିଲେ ।

 

ପରେ ପରେ ବା ପୂର୍ବରୁ ମନେ ନାହିଁ, ଷ୍ଟୁଡେଣ୍ଟ ଷ୍ଟୋର୍‍ ପ୍ରଥମ ମୁଦ୍ରଣର ହେମଶସ୍ୟକୁ ମଧ୍ୟ ଅବିକଳ ସେହିପରି ପ୍ରକାଶ କରିବାର ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ଏତେ ପରିମାଣରେ ମୁଦ୍ରଣ-ଦୋଷ ଦେଖା ଦେଇଥିଲା ଯେ, ତାହାର ପ୍ରଚାର ବନ୍ଦ କରିଦିଆ ଯାଇଥିଲା ।

 

ଇତିମଧ୍ୟରେ ଆଦିମ ‘ହେମଶସ୍ୟ’ ଖଣ୍ଡିଏ କାହିଁ ଦେଖିବାକୁ ମିଳିଲା ନାହିଁ । ବହୁ କାଳଧରି ବହୁ ଲୋକଙ୍କୁ ଅନୁରୋଧ କରା ହୋଇଥିଲା, ଖଣ୍ଡିଏ କପି କାହୁଁ ଆଣିଦେବାକୁ । କିନ୍ତୁ ପ୍ରାୟ ଦୁଇ ମାସ ତଳେ ଔପନ୍ୟାସିକ ରାଜକିଶୋର ପଟ୍ଟନାୟକଙ୍କ ବାଣୀମନ୍ଦିରରେ ଦିନେ ସଂଧ୍ୟାରେ ଏଇ କଥା ପକାଉ ପକାଉ ତାଙ୍କର ବାଣୀ-ବିନୋଦିନୀ ଭଗିନୀ ଶ୍ରୀମତୀ ବସନ୍ତକୁମାରୀ ପ୍ରାଚୀନ ‘ହେମଶସ୍ୟ' ଓ ‘ପ୍ରେମଶସ୍ୟ’ ଉଭୟ ପୁସ୍ତକରୁ ଖଣ୍ଡେ ଖଣ୍ଡେ ଆଣି ମୋ ଆଗରେ ଥୋଇଦେଲେ । ବିସ୍ମିତ ତ ହେବାକୁ ପଡ଼ିଲା, କିନ୍ତୁ ଯେହେତୁ ସେମାନଙ୍କର ପ୍ରତ୍ନ-ସଂରକ୍ଷଣ ଯୋଗୁ ହିଁ ଏଇ ନୂତନ-ମୁଦ୍ରଣ ସମ୍ଭବ ହେଲା, ଲେଖକ ସେଥିପାଇଁ ସେମାନଙ୍କୁ ତାର କୃତଜ୍ଞତା ଜଣାଉଛି ।

 

‘ହେମଶସ୍ୟ’ ପ୍ରକାଶର ପରେ ସେ ଏକ କାବ୍ୟ-ଜୀବିତ ଉପରେ ଅନେକ କବିତା ଗୋଟିକ ପରେ ଗୋଟିଏ ଲେଖା ହୋଇଛି। ସେହିଗୁଡ଼ିକୁ ‘ଶେଷଗୁଚ୍ଛ’ ନାମ ଦେଇ ‘ପ୍ରେମଶସ୍ୟ’ ରେ ଛପା ଯାଇଥିଲା । ଏ ସଂସ୍କରଣରେ ମଧ୍ୟ ସେୟା କରାଯାଇଛି । କେବଳ ‘ଧରାବତରଣ’ ନାମକ ଏକ ନୂତନ କବିତା ସେଥିରେ ଯୋଡ଼ାହୋଇଛି ।

ବହୁ-ଦୁର୍ଦ୍ଦିନ-ସଙ୍କଟ-ସଙ୍କୁଳ ଏକ ଜୀବନରେ ଏହି କବିତା-ଗୁଡ଼ିକ ଆଶା-ଦାୟୀ ରବି-ରଶ୍ମି ବା ଦାହ-ଶୀତଳ କାରିଣୀ ଜ୍ୟୋତ୍ସ୍ନାର ଏକ ଏକ କ୍ଷଣସ୍ଥାୟୀ ଝଲକ ପରି ବୁଝିବାକୁ ହେବ । ମନୁଷ୍ୟ ଯାହା ପାଇବାର ସ୍ଵପ୍ନ ଦେଖେ, ତାହାରି ହିଁ ବର୍ଣ୍ଣନା ହୁଏତ କବିତା । ହେମଶସ୍ୟ ତ ଦୂରର କଥା, ଲେଖକର କୁଟୀରରେ ସାଧାରଣ ଖାଦ୍ୟ ଶସ୍ୟର ଅଭାବ ହିଁ ଲାଗି ରହିଛି । ସେଇ ଚିରନ୍ତନ ଅଭାବ ହିଁ, ସେଇ ଅପ୍ରାପ୍ତତା, ସ୍ଵପ୍ନ ରଚିଛି ‘ହେମଶସ୍ୟ’ର; ହୁଏତ ନିଜର ଚିର ଚୂର୍ଣ୍ଣିତାଶ ଜୀବନଟାକୁ ସାର୍ଥକତାର ବନକ ଦେବା ପାଇଁ । ଏଇ ସ୍ୱପ୍ନର ଯେ କି ମୂଲ୍ୟ ଜୀବନରେ, ପ୍ରସିଦ୍ଧ ଇଂରେଜି କବିତା-ସଂଚୟନ,ପଲଗ୍ରେଭ୍‍ଙ୍କର ‘ସ୍ଵର୍ଣ୍ଣ-ଭଣ୍ଡାର’ରେ ସ୍ଥାନ ପାଇଥିବା, ଜଣେ ଇଂରାଜୀ କବିଙ୍କର ଗୋଟିଏ ଛୋଟ କବିତାରେ ତାହା ମଞ୍ଜୁଳ ଭାବରେ ପ୍ରକାଶିତ ହୋଇଛି। କଲେଜରେ ପଢ଼ିଲାବେଳେ ତାହା ମନରେ ଅଛି। କବିତାଟି ଏଇ—

Jenny kissed me when we met

Jumping from the chairs she sat in;

Time, you thief, who love to get

Sweets into your list, put that in;

Say I'm weary, Say, I a’m sad,

Say that health and wealth have missed me

Say I'm growing old, bided,

enny kissed me !

 

J. H. LEIGH HUNT.

ଅନୁବାଦ

ଦେଖାହେଲେ ଜେନୀ, ଚୌକିରୁ ଉଠି,

ଚୁମ୍ବି ଆଦର ଢାଳିଲା ଯାହା

ହେ କାଳ ସକଳ ସୁଧା ଜୀବନର

ଚୋରାଅ ଯେ, ଲେଖ ଚିଠାରେ ତାହା ।

କହ ତମେ ଆଜି ଅବସନ୍ନ ମୁଁ

ନିରାଶ, ନି-ଧନ, ସ୍ଵାସ୍ଥ୍ୟ ଢିଲା,

ବୃଦ୍ଧ ବା କହ, କିନ୍ତୁ କହ ହେ,

ଜେନୀ ଦିନେ ମତେ ଚୁମ୍ବି ଥିଲା ।

ଜୀବନ-ସଂଗ୍ରାମରେ କ୍ଷତ-ବିକ୍ଷତ ଏଇ ଲେଖକ ଆଜି ସମାନୁଭବୀ ଇଂରେଜ କହିଲେ ହଣ୍ଟ୍‍ଙ୍କ ପରି ହୁଏତ ସ୍ଵାଭାବିକ ଭାବରେ ପଚାରୁଛି, ଜୀବନରେ ଜୟକାର ? —ଦୁର୍ଦ୍ଦିନ, ଦୁର୍ଭାଗ୍ୟ, ଦୁର୍ବିପାକ, ଦୁର୍ଭିକ୍ଷର ନା ଅକିଞ୍ଚନ କୁଟୀରରେ ହେମଶସ୍ୟର ସ୍ଵପ୍ନର ?

ଲେଖକ

☆☆☆

 

ପ୍ରଥମ ସଂସ୍କରଣର ଭୂମିକା

ଅନୁରୋଧ

 

ଚତୁର୍ଦ୍ଦଶ-ପଂକ୍ତିରେ ଲେଖା ହେଲେହେଁ ଏହି କବିତାଗୁଡ଼ିକ ସନେଟ୍‍ ନୁହେଁ । ରଙ୍ଗ-କନିଅର ଗୋଲାପର ଭଉଣୀ ପରି ଦେଖାଗଲେ, ଗୋଲାପ ବା ଗୋଲାପର ଜ୍ଞାତ ମଧ୍ୟ ନୁହେଁ । ଏ ସେହିପରି । କେବଳ ଛୋଟ ଛୋଟ ଭାବକୁ ପ୍ରକାଶ କରିବା ପାଇଁ ଛୋଟ ଅଥଚ ପରିପୂର୍ଣ୍ଣ ପରିଧିଟିମାନ ଆବଶ୍ୟକ ହେବାରୁ ଏହି ଚତୁର୍ଦ୍ଦଶ-ପଂକ୍ତିକା ବୃତ୍ତିର ଆଶ୍ରୟ ନେବାକୁ ହେଲା, ଯେପରି ଆମେ ଛୋଟ ଫୁଲଗଛ ଲାଗି ମାଟିର କୁଣ୍ଡ ଆବଶ୍ୟକ କରୁ ।

 

ଲେଖକ

 

ସୂଚୀପତ୍ର

 

୧.

କଳ୍ପଳତା

୨.

ପୌରୋହିତ୍ୟ

୩.

ଅଙ୍ଗୀକାର

୪.

ବିଦାୟ

୫.

ଚିଲିକା

୬.

ଗତି-ପଥ

୭.

ନବଦୃଷ୍ଟି

୮.

ପ୍ରିୟଭୂମି

୯.

ବଧୂ-ପ୍ରବେଶ

୧୦.

ଯୁଗଳ-ଜୀବନ

୧୧.

ପ୍ରେମ-ସ୍ପର୍ଶ

୧୨.

ସରମ

୧୩.

ରୂପାଲୋକ

୧୪.

ହେମନ୍ତ-ପ୍ରଭାତ

୧୫.

ପ୍ରକୃତିରଳ ଦୌତ୍ୟ

୧୬.

ବସନ୍ତ-ଅଭିସାର

୧୭.

ବସନ୍ତ-ଭିକ୍ଷା

୧୮.

ସୋହାଗ

୧୯.

ନାରୀ

୨୦.

ସାଧନା

୨୧.

ବିଜୟିନୀ

୨୨.

ଦାନ-ପ୍ରତିଦାନ

୨୩.

ବିଦ୍ରୋହ

୨୪.

କ୍ରମଶଃ

୨୫.

ଯୋଗ୍ୟତା

୨୬.

ଆକର୍ଷଣ

୨୭.

ଜଣେ ଜାଣେ

୨୮.

ଅଭିମାନ

୨୯.

ସୁରା ଓ ସୁଧା

୩୦.

ସେଦିନ

୩୧.

ପ୍ରେମର ସଂଜ୍ଞା

୩୨.

୩୩.

ମୃତ୍ୟୁ-ଭୟ

ବିରହ

୩୪.

ପୁନର୍ମିଳନ

୩୫.

ଦେହ ଓ ସ୍ନେହ

୩୬.

ଭୋଗ ଓ ତ୍ୟାଗ

୩୭.

ଭକ୍ତି

୩୮.

ପ୍ରାର୍ଥନା

୩୯.

ଜିଜ୍ଞାସା

୪୦.

ବିରାଟ ସ୍ରଷ୍ଟା

୪୧.

ସନ୍ଦେହ

୪୨.

ଦୁଃଖମୟ ସୃଷ୍ଟି

୪୩.

ସୃଷ୍ଟି ଓ ଧ୍ଵଂସ

୪୪.

ବିଶୁଦ୍ଧ ସନ୍ଦେହ

୪୫.

ମୁକ୍ତି ନାହିଁ ମାଗେ

୪୬.

ଆତ୍ମାର ସୌନ୍ଦର୍ଯ୍ୟ

୪୭.

ଗୋପବନ୍ଧୁ

୪୮.

ଚନ୍ଦ୍ରଶେଖର

୪୯.

ଯୁଗ୍ମ ସୌନ୍ଦର୍ଯ୍ୟ

୫୦.

ଗ୍ରାମ-ସନ୍ଧ୍ୟା

୫୧.

ଅପରାଧ

୫୨.

ନିଶୀଥ ଆଳାପ

୫୩.

ଅନୁରୋଧ

୫୪.

ଜୀବନ ପଥ

୫୫.

ଜୟେ-ପରାଜୟେ

୫୬.

ଭଗିନୀ

୫୭.

ପ୍ରେମିକାର ଅଧିକାର

୫୮.

ଭଗିନୀ

୫୯.

ସତ୍ୟ-ସୁଖ

୬୦.

ଦୂରେ ରହ

୬୧.

ଭଲ ପାଅ ?

୬୨.

ଶଙ୍କିତ ସ୍ନେହ

୬୩.

ଜ୍ୟୋତ୍ସ୍ନା-ଭୋଗ

୬୪.

ବିରହୀ-ଗାଥା

୬୫.

ବିରହ-ପ୍ରଦୀପ

୬୬.

ଶ୍ରବଣ-ଅଭିସାର

୬୭.

ମିଳନ-ମାଧୁରୀ

୬୮.

ନିତ୍ୟ ସ୍ଵୟମ୍ବର

୬୯.

ଅତୃପ୍ତ ଭୋଗ

୭୦.

ଯୋଗ୍ୟ ହେବି

୭୧.

ନବଜନନୀ

୭୨.

ନାରୀର ଅଧିକାର

୭୩.

ଧରାବତରଣ

☆☆☆

 

କଳ୍ପଲତା

 

ଶେଷହେଲା ଏ ଜୀବନେ ଦୁର୍ଭାଗ୍ୟ ତାଡ଼ନା,

ଦୁର୍ଗତିର କଶାଘାତ । ନିଖିଳ ବାସନା

ସହସା ମୋ ହେଲା ପୂର୍ଣ୍ଣ । କୁଟୀର ପ୍ରାଙ୍ଗଣେ

ଦୁର୍ଦ୍ଦିନ—ତିମିର-ନିଶା ତଳେ ସଂଗୋପନେ

ପ୍ରଣୟର କଳ୍ପ-ଲତା ଉଠିଅଛି କାହୁଁ

ମଞ୍ଜରୀ-ସ୍ତବକ-ନମ୍ରା । ମୋ କୁଟୀର ବାୟୁ

ପରିପୂର୍ଣ୍ଣ ତା’ ସୌରଭେ; ପଦ-ମୂଳେ ତାର

ଉପବେଶି ବ୍ୟକ୍ତ କଲେ ହୃଦ-ବାସନାର,

ଝରଇ ପ୍ରତ୍ୟେକ ପର୍ବୁ, ଆନନ୍ଦ-ଜାହ୍ନବୀ,

ପିଏ ଯା’ ମୁଁ ଅନୁପମ ସୁଖ ଅନୁଭବି

ମୋ ନିଖିଳ ଇନ୍ଦ୍ରିୟରେ । ସେ ଚିତ୍ର- ବଲ୍ଲରୀ

ଲତାର ନିଖିଳ ଅଙ୍ଗେ ଆର୍ଶୀବାଦ ପରି

ସଂଚାରଇ ପ୍ରାଣେ ମୋର ଅନନ୍ତ କଲ୍ୟାଣ

ଅତିନ୍ଦ୍ରିୟ କରେ ଚିତ୍ତ, ବୁଦ୍ଧ କରେ ପ୍ରାଣ ।

☆☆☆

 

ପୌରୋହିତ୍ୟ

 

ପବିତ୍ର ବୈଦିକ ମନ୍ତ୍ର ରତ୍ଵିକ ଉଚ୍ଚାରି

କୁଶ-ଘାସେ ଦୁଇ-ହସ୍ତ ବାନ୍ଧିଲା, ସଂଚାରି

ଚେତନା ଯୁଗଳ-ବକ୍ଷେ । ମଙ୍ଗଳ-ବେଦୀରେ

ଉଠେ ପୁତ ହୋମ-ଧୂମ ଭରି ଉଷ୍ମ-ନୀରେ

ପ୍ରିୟାର ଆୟତ ନେତ୍ରେ, ଶିଶିର-ସିଂଚିତ

ନୀଳୋତ୍ପଳ ସୁଷମାରେ କରି ପରାଜିତ ।

ସରଳା ବାଳିକା-ବଧୂ ଅପରିଚିତର

କି ଅବା ଜାଣିଛି ସେ ଗୋ ? ସ୍ନେହ-ପ୍ରଣୟର

କିବା ତା’ର ଅଭିଜ୍ଞତା ? ଦ୍ଵିଜ ବାବଦୁକ

କି ଜାଣି ବାନ୍ଧୁଛି ହାତ ? ରହି ମୌନ ମୂକ

ବାଳିକା ଶୁଣୁଛି ଖାଲି ମନ୍ତ୍ର ଅର୍ଥହୀନ,

ବ୍ୟଥିତା, କିପାଇଁ କରେ ନୟନ ମଳିନ

ବେଦୀ-ଧୂମ ! ବକ୍ଷେ ବକ୍ଷେ, ବାହ୍ୟ ଉପଚାର

କରି କି ପାରିବ ସୂକ୍ଷ୍ମ ପ୍ରଣୟ ସଂଚାର ?

☆☆☆

 

ଅଙ୍ଗୀକାର

 

ହୋମ-ବହ୍ନି, ବେଦମନ୍ତ୍ର, ଦୁର୍ବା, କୁଶପାଶ

ନିମିତ୍ତ ସେସବୁ ମାତ୍ର ; ପ୍ରଣୟ-ବିକାଶ

ତରୁଣ ପ୍ରାଣରେ ହେବ ସେସବୁ ଘେନିକି,

ଅର୍ଥ-ଗ୍ରାହୀ ଦ୍ଵିଜ ନିକି ଯୋଡ଼ିବ ବେନିକି ?

ଭାଗ୍ୟବାନ ମୁଁ ପ୍ରଣୟୀ, କୁଶ-ବନ୍ଧନର

ପୂର୍ବରୁ ବନ୍ଧନ ବରିଥିଲି ଦୃଢ଼ତର

ବାଳିକାର ସ୍ନେହ-ପାଶ । ତେଣୁ କୁଶପାଶେ

ଭାବିଲି ମୁଁ ଅବଶେଷେ ଆଜି ଏ ପ୍ରକାଶେ

ସେ ପ୍ରାଚୀନ ଇତିହାସ; ସର୍ବ ସମକ୍ଷରେ

ପ୍ରଚାରଇ ପୁରୋହିତ ଅବବାଧ୍ୟ ମନ୍ତ୍ରରେ

ବନ୍ଧନ ଆମ୍ଭର ନ୍ୟାଯ୍ୟ । ପୁଣ୍ୟ ହୋମାନଳ

ସାକ୍ଷ୍ୟଦିଏ ଖାଲି, ଆମ୍ଭ ପ୍ରେମ ସମୂଜ୍ଜ୍ୱଳ

କେହ୍ନେ ସତ୍ୟ-ଅଙ୍ଗୀକାରେ । ବିବାହ-ସମ୍ଭାର

ପ୍ରଚାର କରୁଛି ଖାଲି ସେହି ଅଙ୍ଗୀକାର ।

☆☆☆

 

ବିଦାୟ

 

ଉତ୍ସବ ହୋଇଲା ଶେଷ, ଫେରିବେ ବାନ୍ଧବେ,

ସଖା-ସାଥୀ ଫେରିବାକୁ ପ୍ରସ୍ତୁତ ନୀରବେ

ନିଜ ନିଜ ଯାତ୍ରା-ପଥେ; ବାନ୍ଧବୀ ଗୋ ଆସ

ଯିବ ପରା ଗୃହ ତେଜି ଦୂର ପରବାସ ?

ପିତୃଜନେ ସାଶ୍ରୁନେତ୍ରେ ଦେଇଣ ବିଦାୟ

ଆଶିଷ ତାଙ୍କର ମାଗି ହେବାକୁ ସହାୟ

ନବୀନ ଜୀବନ-ପଥେ, ଆସ ସଖି ଧିରେ

ନିନାଦିତ ଶଙ୍ଖ-ରୋଳେ । ପୋଛ ଅଶ୍ରୁନୀରେ

ମତେ ସେ ଯେ ଅପମାନ । ତବ ଅଙ୍ଗୀକାର

ଦେଇଅଛି ମତେ ସିନା ପୂର୍ଣ୍ଣ ଅଧିକାର;

ନ ହେଲେ କିପାଇଁ କହ ନିଅନ୍ତି ଛଡ଼ାଇ

ତୁମରି ଜନନୀ-ହସ୍ତୁ ? କପୋଳ ତିନ୍ତାଇ

ସୁନ୍ଦର ନ ଦିଶେ ଯାତ୍ରା; ଏ ଗୁରୁ ବିରହ

ଦେଖାଇ ଦୃଶ୍ୟ ମୁଁ ଆସ କରିବି ସୁସହ ।

☆☆☆

 

ଚିଲିକା

 

ରହ ରେ ଆଗ୍ନେୟ ରଥ, ଦେଖିବ ସୁନ୍ଦରୀ

ତା’ ନୀଳଲୋଚନେ, ନୀଳ-ଚକ୍ରବାଳ ଧରି

ନୀଳ ଜଳରାଶି କେହ୍ନେ ଉନ୍ମୁକ୍ତ ଶୋଭାରେ

ଉତ୍ତାନେ ରହିଛି ଶୋଇ କାନ୍ତ କବିତାରେ

ରୂପାରାଧୀ ରାଧାନାଥ ରାୟ କବିବର

ବର୍ଣ୍ଣିଛନ୍ତି ଶୋଭା ଏହି ରୂପସୀ ହ୍ରଦର,

ପଢ଼ିଛି ସେ କାବ୍ୟ ପ୍ରିୟା—ତେଣୁ କୁତୂହଳ

ରହ ରଥ, ଦୀର୍ଘ ନେତ୍ର ଦୀର୍ଘତର କରି

ଦେଖୁ ଶୋଭା ମୋ’ ପ୍ରେୟସୀ; ତା’ ନୀଳନୟନ

ହ୍ରଦ-ନୀଳିମାରେ ମିଶୁ ଆକାଶ-ଗଞ୍ଜନ

ତା ’ ନେତ୍ର ପ୍ରଶାନ୍ତ-ଜ୍ୟୋତି ଶାନ୍ତ ହୋଇ କ୍ଷଣେ

ହୃଦ-ବକ୍ଷେ ମିଳିଯାଉ । ପ୍ରକୃତି–ପୂଜନେ

ପ୍ରକୃତି- କୁମାରୀ ଏହି କ୍ଷୁଦ୍ର ରୂପସୀର

କୌତୂହଳ ନିକି ଶ୍ରେଷ୍ଠ ବଚନୁଁ କବିର ?

☆☆☆

 

ଗତି-ପଥ

 

ବାମେ ନୀଳଜଳରାଶି, ଏପାଖେ ସୁନ୍ଦରୀ

ଗିରିମାଳା, ଘନୀଭୂତ ନୀଳାମ୍ବର ପରି

ଉଭା ଦେଖ ଭୀଷ୍ମ-କାନ୍ତ । ଟଂକ-ଭୂମି ପରେ

କୃଷକ-କୁଟୀରମାଳା ଉଦ୍ୟାନ ଗହଳେ

ବିରାଜିତ ସ୍ଥାନେ ସ୍ଥାନେ, ଭେଦି ଲୋକାଳୟ,

ଭେଦି ଧାନ୍ୟ-କ୍ଷେତ୍ରମାଳା କୃଷକ-ଆଶ୍ରୟ,

ମନ୍ଦିର, ନଗର. ହାଟ, ନଦୀ, ଗ୍ରାମପଥ,

ଧାଇଁଅଛି ତୀର ସମ ଏ ଆଗ୍ନେୟ ରଥ

ଅପେକ୍ଷା ନ କରି କାରେ । ଦୃଶ୍ୟ ସମ୍ମୁଖର

ତୁରିତେ ପଶ୍ଚାତେ ଯାଏ, ପ୍ରଭୃତି ସ୍ଥାବର

ଗତି ଲଭି ବିପରିତେ ଧାଏଁ ମହା ଯବେ

ନିକଟ ହେଉଛି ଦୁର ଦେଖ ଲବେ ଲବେ ।

ସାଥେ ସାଥେ ଛନ୍ତି କିନ୍ତୁ ସଖା ସଖୀ ପରି

ପାଶକେ ସଲୀଳ-ଲୀଳା, ପାଶକେ ଶିଖରି ।

☆☆☆

 

ନବଦୃଷ୍ଟି

 

ଏ ମନ ଦେଖିଛି ସଖି ବାରବାର କରି,

ତୁମ୍ଭ ସଙ୍ଗେ ଲାଗେ କିନ୍ତୁ ଆଜି ନୂଆ ପରି ।

ତୁମ୍ଭ ଘେନି ହେଲା ମୋର ଆଜି ଜନ୍ମାନ୍ତର,

ମୁକ୍ତ ସର୍ବ ବାତାୟନ ଦଶ ଇନ୍ଦ୍ରିୟର

ପିବନେ ଜୀବନ-ରସ । ନବୀନ ପ୍ରଣୟ

ନବ-ଦୃଷ୍ଟି ଦିଏ ନେତ୍ରେ; ନିରାନନ୍ଦମୟ

ଧରଣୀ, ଲାଗଇ ମତେ ଆନନ୍ଦ-ସଂସାର

ପ୍ରାଣହୀନ ପ୍ରକୃତିରେ ଚୈତନ୍ୟ ସଂଚାର

ଦେଖୁଛି ପ୍ରଥମ କରି । ତେଣୁ ଏ ଶିଖରି,

ଏ ହ୍ରଦ, ଏ ନଦୀ, ବନ, ଦ୍ଵୀପ, ଗିରିଦରୀ,

ବହୁ-ପରିଚୟେ ଆଜି ନବ-ପରିଚୟ,

ଦିଅନ୍ତି ସଖିଗୋ ମତେ । ବିବାହ-ବିଜୟ

ଅବଜ୍ଞାତ ପ୍ରକୃତିରେ ପ୍ରିୟ କରେ ଆଜି

ଅନୁଭୂତିମୟ କରେ ବନ ଗିରି-ରାଜି ।

☆☆☆

 

ପ୍ରିୟଭୂମି

 

ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ

ବିସ୍ତୀର୍ଣ୍ଣ, ପ୍ରକୃତି ଯହିଁ ଦିଗମ୍ବର ବେଶେ

ବୃକ୍ଷହୀନ-ହେମକାନ୍ତ-ସିକତା ବିସ୍ତାରେ

ମହୋଦଧି ତଟ-ପ୍ରାନ୍ତେ । ସିନ୍ଧୁ-ସିକତାରେ

କ୍ରୀଡ଼ନ୍ତି ନିଶୀଥେ ତହିଁ ଜଳ କନ୍ୟାଗଣ

କିଆକୁଞ୍ଜେ ଲୁଚକାଳି, କୋମଳ ଚରଣ

ବୁଡ଼େ ନାହିଁ ବାଲୁକାରେ । ବର୍ଷାରମ୍ଭେ ତହିଁ

ପୁନ୍ନାଗ କୁସୁମ ଗନ୍ଧ ପ୍ରାଣଦିଏ ଦହି

ବିରହୀ ତରୁଣଙ୍କର କ୍ଷୁବଧ ପାରାବାର

ଢାଳେ ଚୂର୍ଣ୍ଣ-ମଣି-ଚୂଡ଼ ଦୀର୍ଘ-ଉର୍ମିବାର

ସେ ଭୂମିର ପଦତଳେ; ତା’ ଗୁରୁଗର୍ଜନ

ରଚେ ତହିଁ ଶାଶ୍ଵତିକ ମୃଦଙ୍ଗ ଘୋଷଣ ।

ସେହି ଭୂମେ ମୋ କୁଟୀର; ସେ ଦେଶ-କୁରଙ୍ଗୀ ।

ଚାଲ ସଖି, ତୁମ୍ଭଠାରୁ ଶିଖିବେ ଭ୍ରୂଭଙ୍ଗୀ ।

☆☆☆

 

ବଧୂ-ପ୍ରବେଶ      

 

ଗୃହେ ବଧୂ ବୃନ୍ଦ-ମୁଖେ ଶୁଭ ହୁଳହୁଳି,

ଗ୍ରାମଦାଣ୍ଡେ ଶୁଭ ଶଙ୍ଖ, ମଙ୍ଗଳ ମହୁରୀ,

ଦ୍ଵାରେ ତୁଙ୍ଗ ବାଦ୍ୟରୋଳ, ଚନ୍ଦ୍ରାତପ ତଳେ

ପ୍ରଦୀପ୍ତ ଆଲୋକ ପାଶେ ମହା କୋଳାହଳେ

ଆଣିଲେ କୁଟୁମ୍ବଜନେ ବାହି ନବବଧୂ

ଦରିଦ୍ର କୁଟୀର ଦ୍ଵାରେ କ୍ଷୁଦ୍ର ଦୁଇପଦୁ

ଅଲକ୍ତ-ରକ୍ତିମ ଶୋଭା ନିଃସରି ତାହାର

ପ୍ରାଣହୀନ ମୃତ୍ତିକାରେ ଜୀବନ-ସଂଚାର

ସହସା କରିଲା କ୍ଷଣେ ପଟ୍ଟ,ପରିହିତା,

ନିଖିଳ କନକ–ଅଙ୍ଗେ ଭୂଷଣ-ଭୂଷିତା,

ମସ୍ତକେ ସିନ୍ଦୁର ବିନ୍ଦୁ, ନୟନେ କଜ୍ଜଳ,

ଚଉପାଶ କବରୀର ସୌରଭେ ଉଚ୍ଛଳ,—

ପ୍ରବେଶନ୍ତେ ଧୀରେ ବଧୂ କୁଟୀରେ ଆମ୍ଭର

କଲ୍ୟାଣେ ହସିଲା ଯେହ୍ନେ ଗୃହର ଚତ୍ଵର ।

☆☆☆

 

ଯୁଗଳ-ଜୀବନ

 

ଯେଉଁଦିନୁ ଏ କୁଟୀରେ ବଧୂ ଆଗମନ,

କଲ୍ୟାଣ ଉଠୁଛି ଫୁଟି ; ଯୁଗଳ ଜୀବନ

ପଦେ ପଦେ ଦାରିଦ୍ର୍ୟରୁ ଆଣୁଛି ନିଗାଡ଼ି

ପରମ ଆନନ୍ଦ-ରସ ପ୍ରିୟା ଆଣେ କାଢ଼ି

ଦିନର ପ୍ରତ୍ୟେକ କର୍ମ୍ମୁ ସମ୍ଭୋଗ-ସମ୍ଭାର

ପ୍ରଣୟ-କାଉଁରି-ସ୍ପର୍ଶ ମୋ ସୁପ୍ତ ଆତ୍ମାର

ଅନାହତ ବହୁ ତନ୍ତ୍ରୀ ତା’ ଅଙ୍ଗୁଳି-ଘାତେ

ବାଜିଉଠି ମନୋହର ସଙ୍ଗୀତ-ସଙ୍ଘାତେ

ଝଙ୍କୃତ କରୁଛି, ପ୍ରାଣ, ଚିତ୍ତ ରସମୟ,

ବିତ୍ତମୟ ମୋ ଜୀବନ । ପବିତ୍ର ପ୍ରଣୟ,

ନିରନ୍ତର ଇଚ୍ଛାକରି ସୁଖ ଅନ୍ୟୋନ୍ୟର

ପଦେ ପଦେ ପରାଜୟ ଦେଖେ ଅଭାବର,

ଅଭାବୁ ଆନନ୍ଦ ସୃଜେ । ଦରିଦ୍ର କୁଟୀର

ସ୍ଵର୍ଗ ଆଜି ପ୍ରେମ ଲଭି ପ୍ରଣୟବତୀର

☆☆☆

 

ପ୍ରେମ-ସ୍ପର୍ଶ

 

ସେଦିନ, ନୀରବ-ଶାନ୍ତ ନିଶୀଥ ବଲଭୀ,

(ପରିପୂର୍ଣ୍ଣ-ଆଲୋକିତ, ଚନ୍ଦ୍ର-କର ଲଭି)

ସହସା କାହାର ମୃଦୂ କଙ୍କଣ-ଝଙ୍କାରେ

ହୋଇଲା ଝଙ୍କୃତ ଧୀରେ ! ଚକିତ–ପ୍ରକାରେ

ଚାହୁଁ ମୁଁ, ନୟନ ମୋର ବନ୍ଦୀ ହେଲା କ୍ଷଣେ

କାହାର ଶ୍ରୀକର-ପତ୍ରେ ; କନକ କଙ୍କଣେ

ଗଣ୍ଡେ ମୋ ନିହିଣ ଦାଗ, କର୍ଣ୍ଣେ କେ ପୁଚ୍ଛିଲା,

‘କିଏ କହ ? କିଏ କହ’; ଶ୍ରବଣେ ପଶିଲା

ସେ ମଧୁ ଅସ୍ଫୁଷ୍ଟ ଧ୍ୱନି ମର୍ମ୍ମ-ପଥେ ମୋର,

ପରିଚିତ ସ୍ପର୍ଶ, ଆଉ ପରିଚିତ ସ୍ଵର

ସାହସ ଆଶିଲା ବକ୍ଷେ କର ନେଇ ଟାଣି,

ଧୀରେ ସେ ସୁନ୍ଦର ମୁଖ ବକ୍ଷେ ରଖି ଆଣି,

ଆଘ୍ରାଣିଲି ପୁଷ୍ପ-ଗନ୍ଧ ମଞ୍ଜୁଳ କବରୀ

ଏକଇ ଆଘ୍ରାଣେ ପାଇଗଲା ବିଭାବରୀ ।

☆☆☆

 

ସରମ

 

ସେଦିନ ପୂର୍ଣ୍ଣିମା ନିଶା;—ରଜତ-ଶର୍ବରୀ

ହସୁଥିଲା ଧରଣୀର ସର୍ବାଙ୍ଗ ଆବରୀ;

ଅର୍ଦ୍ଧ-ରାତ୍ରେ ବଳଭୀରେ ଶୀତ-ସମୀରଣେ

ସହସା ଭାଙ୍ଗିଲା ନିଦ୍ରା । ଧବଳ ଶୟନେ

ଶାୟିତା ମୋ ଶଯ୍ୟା-ପାର୍ଶ୍ୱେ ଦେଖିଲି ତୁମରେ,

(ଉଷାରେଖା ଯେହ୍ନେ ରାଜାରଜନୀ ଶେଷରେ)

ହେଳାରେ ହୋଇଛି ବ୍ୟସ୍ତ ବାସ ଶ୍ରୀଅଙ୍ଗର—

ଅନାବୃତ ସ୍ଵର୍ଣ୍ଣ ଦେହ ଶୁଭ ଚନ୍ଦ୍ର-କର ।

ନିବିଡ଼େ ଚୁମ୍ବୁଛି ସର୍ବ ଦେହ ମୁଖ ଦେଇ

ପ୍ରେମାର୍ତ୍ତ ପ୍ରଣୟୀ ସମ । ଅଙ୍ଗ କର ଦେଇ

ଜାଗ୍ରତ କରିଲି ଧିରେ, ତନ୍ଦ୍ରା ଅବସାନେ

ଗଭୀର ସରମ ଲାଜେ, ଗୁରୁ ଅଭିମାନେ

ଭର୍ତ୍ସନା କରିଲ ମତେ—‘ଛି ଛି ନିର୍ଲଜତା

ଅର୍ଦ୍ଧରାତ୍ରେ ନିଦ୍ରା ତେଜି ଏ କି ପୁରୁଷତା !’

☆☆☆

 

ରୁପାଲୋକ

 

ପ୍ରଦୀପ ଜଳୁଛି କିପାଁ ? ଲିଭାଅ ତାହାରେ

ତବ ରୂପ-ଶିଖା ଜଳୁ ଘନ ଅନ୍ଧକାରେ ।

ଠିଆହୁଅ କକ୍ଷ ମଧ୍ୟେ, ଧୀରେ ଧୀରେ ଧୀରେ

ଅଙ୍ଗ ଆବରଣ, ଅଙ୍ଗ ତେଜି ଏ ମହୀରେ

ପଡ଼ୁ ଶାନ୍ତ ଊର୍ମି ସମ । ସ୍ଫୁଟିତ ପୁଷ୍ପରେ

ଦୃନ୍ତ-ଆବରଣ ଦେଇ ମୁର୍ଖତା କେ କରେ

ଦେଖିଛ କେଉଁଠି ସଖି ? ହୁଅ ଦିଗମ୍ବରୀ

ମେଘ-ମୁକ୍ତ ଉଷା ସମ । କ୍ରୀତ-ଦାସ ପରି

ପରାଜୟ ଲଭି ରୂପ-ଆଲୋକେ ତୁମ୍ଭର,

ଅନ୍ଧକାର, ଯତ୍ନ କରୁ ଦେବାକୁ ଅମ୍ବର

ତୁମ୍ଭର ନିଖିଳ ଅଙ୍ଗେ ଲଜ୍ଜା ଯେବେ ଆସି

ସହସା କହିବ କର୍ଣ୍ଣେ—‘ହାୟ ମତ୍ତକାଶି,

ଏ କି କଲ ? —ଆସ ପାଶେ ତୁରିତ ଗମନେ

ଆଶ୍ରୟ ତାହାରେ ଦେବି ସ୍ନେହ-ଆବରଣେ ।

☆☆☆

 

ହେମନ୍ତ-ପ୍ରଭାତ

 

ହେମନ୍ତ ପ୍ରଭାତ କାଳ ; ନବୋଦିତ ରବି

ସୃଜିଅଛି ସୃଷ୍ଟିକରେ ଅନୁପମ ଛବି

ଶ୍ୟାମଳ ପ୍ରକୃତି ଅଙ୍ଗେ ବନସ୍ପତି ଶିରେ

ସ୍ଵର୍ଣ୍ଣ ଆବରଣ ସମ ପଡ଼ିଛି ରୁଚିରେ

କୋମଳ କନକ-ରଶ୍ମି । ନିମ୍ନେ ଧରାତଳେ

ଅୟୁତ ଶିଶିରବିନ୍ଦୁ ମୁକ୍ତା ସମଥରେ

ଶ୍ୟାମ ଘାସ ପତ୍ରେ ପତ୍ରେ ; ତଥି ରବିକର

ପଡ଼ି କାହିଁ ପ୍ରତ୍ୟେକରେ ସୃଜିଛି ସୁନ୍ଦର

ଇନ୍ଦ୍ରଧନୁ ବର୍ଣ୍ଣୋତ୍ସବ । ପ୍ରଶାନ୍ତ ଗଗନ,

ଶାନ୍ତ ସୁଶୀତଳ ବାୟୁ ; ଅଦୂର କାନନ

ଝଙ୍କାରିତ ହୁଏ ଖାଲି କରୁଣ ରୋଦନେ,

ବିରହିଣୀ କପୋତୀର ଏକାଳେ ସଦନେ

ପ୍ରବେଶିଲା ସଦ୍ୟସ୍ନାତା ପ୍ରେୟସୀ ମୋହର

ଭାବିଲି ସେ ଏକ ଅଂଶ ସ୍ଵର୍ଣ୍ଣ ହେମନ୍ତର ।

☆☆☆

 

ପ୍ରକୃତିର ଦୌତ୍ୟ

 

ପୂର୍ବଦିନୁ ହୋଇଥିଲା ପ୍ରଣୟ-କଳହ

ପୋଡ଼ୁଥାଏ ହୃଦ-ସାରା ନିର୍ମମ ବିରହ;

ସେଦିନ ଆସିଲା ବର୍ଷା । ମଧୁର ଝଂକାର

ସୃଜି ଅନମ୍ବରେ, ଗୁରୁ ପ୍ରାବୁଟ ଆସାର

ପଡ଼ିଲା ରଜତ ଧାରେ । ନୁହେ ଦିନ-ରାତି,

ଛାୟାମୟ ଏ ପ୍ରକାର କାଳ ରଚି, ଛାତି-

ଉନ୍ମନା କରିଲା ବର୍ଷା ପ୍ରତି ମୁହୂର୍ତ୍ତରେ

ଅନୁତାପ କଲି କିପାଁ ପିୟା ସଙ୍ଗତରେ

କଳହ କରିଲି ମୁହିଁ । ଏକାଳେ ପ୍ରେୟସୀ

ମୁଖ ନୋଇଁ, ସରମରେ ହସି-ଓ-ନ-ହସି,

ଆସିଲେ ମନ୍ଦିରେ ମମ, ବସିଲେ ସଧୀରେ

କହିଲି ମୁଁ ହସି ତହୁଁ—‘ଦରିଦ୍ର କୁଟୀରେ

ଶ୍ରୀପଦ ପଡ଼ିଲା କିପାଁ ?’ ପ୍ରିୟା ତହୁଁ କହେ—

‘ବରଷା ଭାଙ୍ଗିଲା ମୋର ଗର୍ବ ଏ କଳହେ ।’

☆☆☆

 

ବସନ୍ତ-ଅଭିସାର

 

ବସନ୍ତ ଆସିଛି ପ୍ରିୟେ, ପର୍ଣ୍ଣାଞ୍ଚଳ ଟାଣି

ମଞ୍ଜୁଳ କୋକିଳ-କଣ୍ଠେ ଫିଟାଇ ତା ବାଣୀ,

ଅଙ୍ଗେ ଭରି ପୁଷ୍ପଭାର, ସର୍ବାଙ୍ଗେ ସୁରଭି

ଡାକୁଛି କୁଟୀରାଙ୍ଗନେ—“ଉଠ ଉଠ କବି,

ଭୋଗକର ବାର୍ଷିକ ଏ ମୋର ଅଭିସାର

ଭୁଲିଯାଅ ଦୁଃଖ ଶୋକ ମୁଗଧ ନମସ୍କାର

କଲି ମୁଁ ଅତିଥି-ବରେ; ତା’ପରେ ଭାଷିଲି

ମଳୟର କାନେ କାନେ—‘ବନ୍ଧୁ ସାଥେ ମିଳି ।

ଆଜିକି ରଜନୀ ଏହି ଆମ୍ର କୁଞ୍ଜତଳେ

ଯାପିବ କି ବନ୍ଧୁ ମୋର ? ମୁଗ୍‍ଧ କୁତୂହଳେ

ଦେଖିବ ସଲଜ୍ଜ ଲୀଳା ସୁନ୍ଦରୀ ପ୍ରିୟାର,

ସାର୍ଥକ ହୋଇବ ଶ୍ରମ ।’ ମଳୟ-ସ୍ଵିକାର

ମର୍ମ୍ମର ରଚିଲା ଧୀରେ ଆମ୍ରକୁଞ୍ଜ ପରେ

ବସନ୍ତ ଧଇଲା ବୀଣା କୋକିଳ-କଣ୍ଠରେ ।

☆☆☆

 

ବସନ୍ତ-ଭିକ୍ଷା

 

ମଧୁ ନିଶିଥିନୀ ଏହି, ଚନ୍ଦ୍ରିକା ଚକିତ

ଧରଣୀର ଧୂଳି ଦେହ ମୁଗଧ୍‍ ପୁଲକିତ

ଜୋଛନାର ଯାଦୁ ସ୍ପର୍ଶେ । ବନସ୍ପତି ରେଖା

କ୍ଷୀଣ ପାଣ୍ଡୁ ଆବରଣେ ଦୁରୁ ଯାଏ ଦେଖା

ମାୟାର କାନନ ସମ । ଆମ୍ରକୁଞ୍ଜ ତଳେ,

ତିଳ ତଣ୍ଡୁଳିତ ଛାୟେ ପାନ୍ଥ କାହିଁ ଚଳେ

ନୀରବେ ବଦନ ପୋତି ; ମନ୍ଦ ସମୀରଣେ,

ନାରୀକେଳ ଉଚ୍ଚ ଶିଖା ମୃଦୁଳ କମ୍ପନେ

ଥରିଉଠେ ଜ୍ୟୋତ୍ସ୍ନା ତଳେ କ୍ଷୁବ୍‍ଧ ଚକ୍ରବାକ

ଦୂରୁ ତାଳେ ଥରେ ଥରେ ତା’ ବିରହଯାକ ।

ଏକାନ୍ତ କରୁଣ ସ୍ଵରେ ପ୍ରଣୟୀ ଯୁଗଳ

ଏ କାଳେ ଆକାଶ ତଳେ ହୋଇ ଲଗ୍ନ-ଗଳ

ପ୍ରଣମିଲୁଁ ବସନ୍ତରେ, ବୋଲି—‘ହେ ସାମନ୍ତ,

ଜୀବନ ଆମ୍ଭର ହେଉ ଅଚ୍ଛିନ୍ନ ବସନ୍ତ ।’

☆☆☆

 

ସୋହାଗ

 

ମୋ ପ୍ରିୟ ଉତ୍କଳ ଭାଷା ତୁମ୍ଭ ମୁଖେ ସଖି

ପ୍ରିୟତର ଲାଗେ କର୍ଣ୍ଣେ ତୁମ୍ଭ କୋଳେ ରଖି

ଏ ମସ୍ତକ, ଚାହେଁ ଯେବେ କନକ-କପୋଳେ

ବାସନାର ଅଗ୍ନି–ଶିଖା ଯହିଁ ନିତ୍ୟ ଜ୍ଵଳେ,

ତୁମ୍ଭେ ଦୃଷ୍ଟି ନତ କରି ମୋ ନେତ୍ରେ ମିଳାଅ,

ଦୀର୍ଘଶ୍ୱାସେ ବକ୍ଷ-ହାର ମଞ୍ଜଳେ ଦୋଳାଅ,

ନାସାର ପ୍ରଶ୍ୱାସ–ଧାରେ ଉଷ୍ଣ କର ଭାଲ

ସ୍ନେହେ ମୋର କେଶେ, ଧୀରେ ଅଙ୍ଗୁଳି ସଞ୍ଚାଳ,

ଶେଷେ ଯେବେ ମୁଖ ମୋର ଊର୍ଦ୍ଧେ ନେଇ ତୋଳି

ଦିଅ ଓଷ୍ଠେ ଚିର-ପ୍ରିୟ ସେ ଚୁମ୍ବନ ବୋଳି,

ସହସା ଭୁଲଇ ମୁହିଁ କଠିନ ସଂସାର

ଲାଞ୍ଛନା ଓ ଦୁର୍ଭାଗ୍ୟର ନିଷ୍ଣୁର ପ୍ରହାର,

ଦେବତାର ମହାପ୍ରାଣ ପଶେ ଏ ଶରୀରେ

ଚେତନା ମୋ ଅତୀନ୍ଦ୍ରୟ ହୁଏ ଧୀରେ ଧୀରେ ।

☆☆☆

 

ନାରୀ

 

ତୁମ୍ଭର ପ୍ରଣୟ ଦାନେ ବୁଝିଛି ପ୍ରଥମେ

ନାରୀର ମହିମା ସଖି ନଉଁଛି ସରମେ ।

ମୋହର ପୁରୁଷ ଗର୍ବ ତବ ପଦତଳେ

ମନ୍ତ୍ର-ଶାନ୍ତ ସର୍ପସମ । ତବ କଟାକ୍ଷରେ

ଉଦ୍ଦାମ ବାସନା ମମ ମାନି ପରାଭାବ,

ହେଲା ଶାନ୍ତ-ସଙ୍କୁଚିତ । ମଧୁ ସ୍ପର୍ଶେ ତବ

ପ୍ରସୁପ୍ତ ପୁରୁଷ-ଆତ୍ମା-ମନ୍ଦାକିନୀ ଜଳ

ଉଚ୍ଛାସେ ଉଠଛି ବହି; ଶାସନେ ତୁମ୍ଭର ।

ଜାଗ୍ରତ ଦେବତା ମୋର ହୃଦ-ସିଂହାସନେ

ବହୁଦିନ ସୁପ୍ତି ପରେ । ପ୍ରତି କ୍ଷଣେ କ୍ଷଣେ

ବୀର କରି ପଠାଉଛ ଜଗତର ରଣେ

ପ୍ରୀତିର କବଚ ଦେଇ, ଫେରିଲେ ମୋ ବ୍ରଣେ

ପୋଛୁଛ କଲ୍ୟାଣ ସ୍ପର୍ଶେ । ତୁମ୍ଭର ପ୍ରଣୟ

ଦେଲା ମୋତେ ନାରୀତ୍ଵର ସତ୍ୟ-ପରିଚୟ ।

☆☆☆

 

ସାଧନା

 

ମୋ ଶୋଣିତ-ବିନ୍ଦୁ ଦେଇ ତବ ଅଶ୍ରୁ-ବିନ୍ଦୁ

ପୋଛିବି ବାସନା ମମ । ପାର-ହୀନ ସିନ୍ଧୁ

ପାର ହେବି ତବ କଣ୍ଠେ ମୁକ୍ତା ଦେବା ଲାଗି

ବିନତ ଅଞ୍ଜଳିପୁଟେ; ମୁଗ୍‍ଧ ଅନୁରାଗୀ

କରିବି ଚରଣ-ପ୍ରାନ୍ତେ ପ୍ରେମ–ଆରାଧନା

ସ୍ତୁତିର ନୈବେଦ୍ୟ ଦେଇ ଯେତେକ ବାସନା

ହୋଇବ ଜାଗ୍ରତ ତବ କ୍ଷୁଦ୍ର ବକ୍ଷତଳେ

ସେସବୁର ସଫଳତା ତବ ପଦ ପରେ

ନିବେଦିବି ଆଣି ସଖି ପ୍ରାଣ-ପାତ କରି

ତୁମ୍ଭର ଆନନ୍ଦ ଲାଗି ପଦ ତବ ଧରି

ମୋ ଶୋଣିତ-ଅଲକ୍ତକ ଅଙ୍ଗୁଳିରେ ମମ

ଆଙ୍କିବି ନିବିଷ୍ଟ ମନେ ହେ ପ୍ରିୟ ନିର୍ମ୍ମମ

ତାପରେ ବିନିତ ନେତ୍ରେ କରିବି ଜିଜ୍ଞାସା

‘କହ ଦେବି, ପୂରାଇବି ଆଉ କିବା ଆଶା !’

☆☆☆

 

ବିଜୟିନୀ

 

କାହାର ହୃଦୟରକ୍ତ ଅଲକ୍ତକ କରି

ଚରଣ ରଞ୍ଚିଛ ସଖି ? ବାନ୍ଧିଛ କବରୀ

କା’ର ଦୀର୍ଘ ମନୋରଥେ ? ଗର୍ବିତ ଝଂକାରେ

କା’ର ଚିର ପରାଜୟ, କଙ୍କଣ ପ୍ରଚାରେ

ନିଖିଳ ଜଗତ ଭରି ? ଉରଜ ବନ୍ଧୁର

କାହାରେ ଅବଜ୍ଞା କରି ଚିର ଊର୍ଦ୍ଧ୍ଵ-ଚୂଳ

ଅନୁପମ ଅହଙ୍କାରେ ? କର୍ଣ୍ଣ-ପୁଷ୍ପ ଦ୍ଵୟ

କନକ-ଜ୍ଵଳନେ ଘୋଷେ ମଙ୍ଗଳ-ବିଜୟ

କେଉଁ ଧୃଷ୍ଟ ଆସ୍ପର୍ଦ୍ଧାର ? ମଞ୍ଜୁଳ କବରୀ

କେଉଁ ଜୟ-ଘୋଷଣାରେ ଦେଇଅଛ ଭରି ।

ଚମ୍ପକ ମଞ୍ଜରୀ ମାଳେ ? ଅୟି ବଜୟିନି,

କିଏ ସେ ନିରୀହ ଶତ୍ରୁ ?

ମୁହିଁ ? ଏ କିଙ୍କିଣୀ

ମୋହରି ବିଜୟ ବାଜେ ? ତେବେ ପରାଜୟ

ବରିନେଲି, ତୋ’ ଗୌରବ ହେଉ ବଶ୍ଵମୟ ।

☆☆☆

 

ଦାନ-ପ୍ରତିଦାନ

 

ଆଭରଣ ଅଙ୍ଗୁ କାଢ଼ି ଗୁଞ୍ଜିଦେଇ ହାତେ

ଦିନେକ କହିଲା ପ୍ରିୟା ଦରିଦ୍ର-ପ୍ରଭାତେ

‘‘ଏ ସ୍ୱର୍ଣ୍ଣ–ଭୂଷଣ ମୋର ତବ ଦୁଃଖ ନାଶେ

କିଞ୍ଚିତରେ ଲାଗିଥାଉ’’ ।—ନାରୀର ସେ ଭାଷେ,

ପ୍ରିୟାର ସେ ଅନୁରୋଧ-ନମିତ-ନୟନେ,

ଚପଳାର ଆଶଙ୍କିତ-ନୀରବ-କଙ୍କଣେ ।

ମୋ ପୁରୁଷ-ଅହଙ୍କାର ଦ୍ରବିଲା କ୍ଷଣକେ,

ଅସମ୍ଭାଳେ ତାହାରେ ମୁଁ ଧରିଲି ଏ ବକ୍ଷେ ।

ସହସା ନୟନ ମୋର ଉଷ୍ଣ ନୀର ଝରି

ତିନ୍ତାଇଲା ପ୍ରିୟା-ଗଣ୍ଡ; ବିମୁଗ୍‍ଧା ସୁନ୍ଦରୀ

ସମ୍ଭାଳି ନ ପାରି ସ୍ନେହ ବକ୍ଷେ ମୋର ଥରି

ବିଳପିଲା କାରୁଣ୍ୟରେ । ଦୃଢ଼େ ତାରେ ଧରି

ପୋଛିଲି ତା’ ଅଶ୍ରୁରେଖା,—କହିଲା ସେ ତହୁଁ,

‘ପ୍ରତିଦାନ ଦେଲ ଯେ ଗୋ, ମୋ’ ଦାନ ନ ନଉ’ ।

☆☆☆

 

ବିଦ୍ରୋହ

 

ଶୟନେ ଦିନେକ ପ୍ରିୟା-ସ୍ୱର୍ଣ୍ଣ ବାହୁ ତାର,

ନିହି ମୋର ବକ୍ଷେ କରି ଶୀତକାର ସଞ୍ଚାର ।

ଶ୍ରୁତିମୂଳେ ଲଗାଇ ତା’ ଓଷ୍ଠ ମନୋରମ,

କହିଲା ବିଦ୍ରୋହ ବାଣୀ-‘ହେ ମୋର ପରମ ।

ଗୃହକୋଣେ ଶେଷ କିହେ ହେବ ମୋ ଜୀବନ,

ନାରୀତ୍ଵ ର ସାର୍ଥକତା ? ସ୍ଵାର୍ଥର ପୋଷଣ ।

କ୍ଷୁଦ୍ରତାର ଆରାଧନା ପତ୍ନୀର ବନ୍ଧନ,

ନାହିଁ ଲାଗେ ଭଲ ମତେ । ମୁକ୍ତି ଆସ୍ଵାଦନ

ପ୍ରାଣ ମୋର ନିତ୍ୟ ଚାହେ, ଗୃହ ବୃହତ୍ତର

ମୋହର ନାରୀତ୍ଵ ମାଗେ, ନିଖିଳ ଦେଶର ।

ସେବିକା ହେବା ମୋ ଇଛା ଦିଅ ଅନୁମତି

‘ବାହୁ ଛିନ୍ନ କରିଯାଅ ଦେଲି ମୁଁ ସମ୍ମତି ।

କହିଲି ପ୍ରିୟାରେ ହସି ଶୁଣି ତାହା ପ୍ରିୟା

‘କି କହ ‘କି କହ’ କହି ଯୁକ୍ତ କଲା ହିୟା ।

☆☆☆

 

କ୍ରମଶଃ

 

ପ୍ରଥମେ ନଥିଲା ସ୍ନେହ ପରେ ପରିଚୟ,

ଅଙ୍କୁରିତ କଲା ହୃଦେ । ପୂର୍ବର ସଂଶୟ

ଧୀରେ ଧୀରେ ସ୍ଥାନ ଦେଲା ନବ ବିଶ୍ଵାସରେ

ଉପେକ୍ଷା ହୋଇଲା ସେ କ୍ରମଶଃ ସ୍ନେହରେ ।

ମନେ ଅଛି ମୋର ପ୍ରିୟ ପ୍ରଥମ ସମୟେ

ଶଙ୍କିତ ଚରଣ କ୍ଷେପେ, ଅର୍ଦ୍ଧ–ପରିଚୟେ

ଦ୍ଵିଧା-ଜଡ଼ ସମ୍ଭାଷଣେ, ଆତ୍ମ ଅଭିସାରେ

ନିଶୀଥେ ମନ୍ଦିରେ ମମ ନୀରବ ନିଶାରେ

କ୍ରମେ କ୍ରମେ ପରିଚୟ ହେଲା ପରସ୍ପରେ,

ବର୍ଦ୍ଧିଷ୍ଣୁ ବିଶ୍ୱାସ ସହ ହେଲା ଅନ୍ୟୋନ୍ୟରେ ॥

କ୍ରମେକ୍ରମେ ପରି ପୂର୍ଣ୍ଣ ଆତ୍ମ-ସମର୍ପଣ

ପରମ ନିର୍ଭର ସହ। ସଲଜ୍ଜ ଭାଷଣ ॥

ଫଳେ ଆଜି ଅବଶେଷ; ଆଜି ବିନମୟ

ମୁଖର ପ୍ରଣୟ ସାଥେ, ମୁଖର ପ୍ରଣୟ ।

☆☆☆

 

ଯୋଗ୍ୟତା

 

‘ହେ କବି ହେ ବିଜ୍ଞ ପ୍ରିୟ’—ଭାଷିଲା ପ୍ରେୟସୀ

‘ମୁଁ କ’ଣ ତୁମ୍ଭର ଯୋଗ୍ୟ ? ତୁମ ଆଗେ ବସି

ଗାଇ ତ ପାରିବି ନାହିଁ କର୍ଣ୍ଣ-ରସାୟନ

ସଙ୍ଗୀତ, ବିପଞ୍ଚି ଧରି; ଅପସରୀ–ନର୍ତ୍ତନ

ନାଚି ତବ ରୂପ-କ୍ଷୁଧା ତୋଷିବି କିପରି

ସେ କଳା ଜାଣେ ମୁଁ ନାହିଁ ତୃପ୍ତିଦେଲା ପରି

ରୂପ ବା କି ଅଛି ମୋର ? ମୂର୍ଖ ପଲ୍ଲୀ–ବାଳା,

ଲେଖି ନାହିଁ ଜାଣେ ପତ୍ରେ ପ୍ରଣୟର ଜ୍ଵାଳା

ରସିକା ଲେଖିବେ ଯେହ୍ନେ । ହାୟ ପ୍ରିୟତମ

କାହିଁକି ଘେନିଲ ମତେ ? —କନକ ଚରମ

ସ୍ପର୍ଶି ଧୀରେ କରେ ମୋର, କହିଲି—‘କଲ୍ୟାଣି

ଜାଣ ତ ଅଶ୍ରୁରେ କହି ଗୂଢ଼ ହୃଦ-ବାଣୀ

ମୋ ମଙ୍ଗଳ ଲାଗି ଈଷ୍ଟ ଦେବତାଙ୍କ ପାଶେ ?

ତା’ ସଙ୍ଗେ ନାରୀର ଅନ୍ୟ ଗୁଣ ନିକି ଆସେ ?’

☆☆☆

 

ଆକର୍ଷଣ

 

ଏ ଭୁବନ ପଥେ ପଥେ ଯହିଁ ଯାଏ ଆଜି

ଚିତ୍ତ ଓ ଚରଣ ମଧ୍ୟେ ଦ୍ଵନ୍ଦ ଉଠେ ବାଜି ।

ଚରଣ ଚଳଇ ଆଗେ, ଚିତ୍ତ ପଛେ ଧାଏଁ

ପୃଥିବୀର ସେହି ସ୍ଥାନେ, ବାୟୁ ଯହିଁ ପାଏ

ପ୍ରିୟାର ଚିକୁର ଗନ୍ଧ, ତୁଚ୍ଛ ରେଣୁ ଯହିଁ

ଜୀବନ୍ତ ହୁଅଇ ପ୍ରିୟା-ପଦ ସ୍ପର୍ଶ ବହି ।

ଏହି ଦ୍ଵନ୍ଦ ହୃଦେ ଧରି ବୁଲେ ମୁଁ ନିରତ

ଆଜି ଏ ଭୁବନ ପରେ; ଯାତ୍ରୀ ଶତ ଶତ

ଦୁଇ ପାଶେ ଯାନ୍ତି ଚଳି ଭୁଜେ ଭୁଜ ଘଷି,

ନ ଜାଣନ୍ତି ବ୍ୟଥା ମୋର । ପଥ-ପାଶେ ବସି

ଭାବେ ମୁଁ ନିବିଷ୍ଟ ମନେ—କିପାଁ ଆକର୍ଷଣ

ହୃଦୟେ ହୃଦୟେ ଏହି ? ଗୋଟିଏ ବଦନ

କୋଟିଏ ବଦନ ମେଳେ କିପାଁ ମତେ ଟାଣେ

ଖିଳ-ବିଶ୍ଵେ ଏ ବନ୍ଧନ କିପାଁ ଦୁଇ ପ୍ରାଣେ ?

☆☆☆

 

ଜଣେ ଜାଣେ

 

ବସୁଧାର ହୃଦ-ବ୍ୟଥା ଜାଣେ ବାରିବାହ,

ଅମୃତ-ଆସାରେ କରି ତା’ରେ ଅବଗାହ

ରୋମାଞ୍ଚିତ କରେ ଶସ୍ୟେ । କୁସୁମ-ବ୍ୟଥିତ

ତପନ ଜାଣଇ ମାତ୍ର ପ୍ରଭାତେ ଚୁମ୍ବିତ

ଧୀରେ କରି କରେ ତାରେ, ସୁରଭି-ସୁନ୍ଦର,

ହସାଏ କ୍ଷଣକ ଲାଗି । ଶୁଦ୍ଧ ନୀଳାମ୍ବର

ଆଲୋକର ବ୍ୟଥା ବୁଝେ ନୀରବ ନିଶୀଥ

ପ୍ରେମିକର ବ୍ୟଥା ବୁଝେ—ପ୍ରେୟସୀ-ଶିଂଜିତ

ଶୁଣାଇ ଶ୍ରବଣେ ତାର ନିଖିଳ ଭୁବନେ

ବୁଝିବାକୁ ଜଣକର ବ୍ୟଥା ଆଉ ଜଣେ

ସୃଜିଛି ପରମ ସ୍ରଷ୍ଟା; ବିଶ୍ଵ ଜନତାରେ

ସକଳେ ଉପେକ୍ଷି ଚିତ୍ତ ବାଛିନିଏ ତାରେ

ଜୀବନ-ସଙ୍ଗିନୀ କରି । ସେହି ସେ ବିଧାନେ

ପ୍ରିୟା-ପ୍ରାଣ ଯୁକ୍ତ ହେଲା ଏ ଅଧମ-ପ୍ରାଣେ

☆☆☆

 

ଅଭିମାନ

 

ବାର ବାର ଜିଜ୍ଞାସିଛ ହେ ଅଭିମାନିନି

ଏଇ ପ୍ରଶ୍ନ ନିଶି ନିଶି—‘ଆଦ୍ୟ ପ୍ରଣୟିନୀ

ଯେ ଥିଲା ତାହାରେ ଦେଇ, ସମସ୍ତ ପ୍ରଣୟ

ମତେ ହେ ଭୁଲାଅ କିପାଁ ? ପରମ ସଂଶୟ

ମୋର ଅଛି ତବ ସ୍ନେହେ’—କହିନି ଉତ୍ତରେ

ବରାଙ୍ଗି ମୁଁ ବାରବାର ? —‘ପ୍ରଣୟ-ମନ୍ତ୍ରରେ

ଅଭିଷିକ୍ତ କରି ମୋର ପ୍ରଥମ-ପ୍ରେୟସୀ

ଉପଯୁକ୍ତ କଲା ମତେ ପଦତଳେ ବସି

ଦେବାକୁ ତୁମ୍ଭରେ ମୋର ପ୍ରେମ-ଆରାଧନା

ବିଦଗ୍‍ଧ ପ୍ରେମିକ ସମ ! ସୁପ୍ତ ମୋ ବାସନା

ଜାଗ୍ରତ କରିଛି ସେହି ପ୍ରଣୟ-ପିପାସା

ଉଠାଇଛି ପ୍ରାଣେ ମୋର ଶିଖାଇଛି ଭାଷା

କହିବାକୁ ପ୍ରୀତି-କଥା ପ୍ରେୟସୀ-ସମ୍ମୁଖେ;

ତା’ ପ୍ରତି କି ଅଭିମାନ ସାଜେ ତବ ମୁଖେ ?’

☆☆☆

 

ସୁର ଓ ସୁଧା

 

ପ୍ରଥମ ପ୍ରଣୟ ପ୍ରିୟେ ମୋ ଜୀବନ-ପାତ୍ରେ

କାର୍ଯ୍ୟ କଲା ମଦ୍ୟ ସମ ମୋ ନିଖିଳ-ଗାତ୍ରେ

ସୃଜିଲା ଅନନ୍ତ କ୍ଷୁଧା ଅନନ୍ତ ପିପାସା,

ବିମୁଗ୍‍ଧ କଲା ମୋ ପ୍ରାଣ ବିହ୍ଵଳ ମୋ ଆଶା,

ଜୀବନ ବିଦ୍ରୋହମୟ । ଫିଙ୍ଗିଲି ଶ୍ରୃଙ୍ଖଳ

ଫିଙ୍ଗିଲି ଗୌରବ-ମାନ; ସଂସାର-ମଙ୍ଗଳ

ସେହି କାଦମ୍ବରୀ ପାନେ; କସ୍ତୁରିକା ସମ

ଧାଇଁଲି ମୁଁ ଭ୍ରାନ୍ତ ପରି । ସେ ମୋହ ପରମ

ହୋଇଅଛି ଶେଷ ଆଜି ଆଜି ହେ ସୁନ୍ଦରି

ପବିତ୍ର ଜାହ୍ନବୀ, ସ୍ରୋତେ ଦାଣ୍ଡ ମୋର ଭରି

ଆସିଛି ମନ୍ଦିରେ ମମ । ସେ ସୁଧା ପାନେ

ଶାନ୍ତ ମୋ ନିଖିଳ-କ୍ଷୁଧା ମୋହ-ଅବସାନେ

ଘଟିଛି ମୋ ଜନ୍ମାନ୍ତର । ସୂରାପାନ ପରେ

ପ୍ରେମ ତବ ସୁଧା ସମ ପ୍ରାଣେ କାର୍ଯ୍ୟ କରେ ।

☆☆☆

 

ସେଦିନ

 

ସେଦିନ ପଡ଼ଇ ମନେ—ସେଦିନ କଲ୍ୟାଣି

ଅପବାଦ ଅନ୍ଧକାର, ଅପଥ ନ ମାନି

ଧାଉଁଥିଲି ସ୍ତବ୍‍ଧ ରାତ୍ରେ ପ୍ରଥମା ପ୍ରିୟାର

ନିବିଡ଼ ଆଶ୍ଳେଷବନ୍ଧେ ଦୁର୍ଦ୍ଦାନ୍ତ ହିୟାର

ଦୁର୍ଦ୍ଧର୍ଷ ବାସନା ରାଶି ଶମିବାର ଲାଗି ।

ସ୍ଵପ୍ନେ ହେଲେ ସେଦିନ ତ ନାହିଁ ଥିଲା ଜାଗି

ଚିତ୍ତେ ମୋର ତବ ରୂପ । କାହିଁ ଥିଲ ସଖି

ସେକାଳେ ମୋ ଲାଗି ବକ୍ଷେ ଶୂନ୍ୟସ୍ଥାନ ରଖି

ମୋ କକ୍ଷ ଆଲୋକ ପାଇଁ ପ୍ରଦୀପ ସଜାଡ଼ି

କିଶୋର ବୟସ ତବ ଆଲେକ ଅଜାଡ଼ି

ସେ ଅବଗୁଣ୍ଠନ ତଳୁ ଆସିଲ ଯେଦିନ

ତୁମରେ ଚାହିଁଲି ଦୂରୁ ହୋଇ ଦ୍ଵିଧା-ଭିନ୍ନ,

ଜିଜ୍ଞାସିଲି ‘ଏ କିଏ ସେ ?’

କିନ୍ତୁ ପରିଚୟ

ତୁଟାଇଲ ମମ–ତାରେ ସକଳ ସଂଶୟ ।

☆☆☆

 

ପ୍ରେମର ସଂଜ୍ଞା

 

ପ୍ରେମ ସେ କିପରି କଥା ? କିବା ସଂଜ୍ଞା ତାର ?

କିପରି ହୁଅଇ ତା’ର ପ୍ରାଣରେ ସଂଚାର ?

କିବା ସଂଜ୍ଞା ଦେବି ପ୍ରିୟେ ? ବିଶ୍ଵ-ଆକର୍ଷଣ

ପ୍ରେମ ନାମ ପରିପୂର୍ଣ୍ଣ ଆତ୍ମ-ସମର୍ପଣ ।

ତରୁଣ ତରୁଣୀ ପ୍ରାଣ ଏହି ଯାଦୁକର

ଅନ୍ୟୋନ୍ୟେ ଟାଣଇ ଆଦ୍ୟେ, ଅଞ୍ଜନ ରୂପର

ଲଗାଇ ଦୁହିଁଙ୍କ ନେତ୍ରେ । ରୂପେ ହେଲେ ଶେଷ

ପ୍ରେମ ନାମ ନୁହେଁ ତାର, ଅନ୍ୟ କି ବିଶେଷ

ନିକୃଷ୍ଟ ସମ୍ଭୋଗ ତାହା ଦେହ-ଅବସାନେ

ଯେ ମିଳନ ପ୍ରତିଷ୍ଠିତ ଅନ୍ୟୋନ୍ୟେ କଲ୍ୟାଣେ

ସେହି ସେ ପ୍ରକୃତି ପ୍ରେମ । ବିଶ୍ୱାସ ପରମ

ଆବୃତ କରଇ ତାରେ ଦୃଢ଼ ବର୍ମ୍ମ ସମ

ଆଶଙ୍କା ସନ୍ଦେହ ଦ୍ଵନ୍ଦୁଁ । ସୁଖ ସେ ପ୍ରେମରେ

ଗ୍ରହଣ ନ କରି ଖାଲି ତ୍ୟାଗ ପରସ୍ପରେ ।

☆☆☆

 

ମୃତ୍ୟୁ–ଭୟ

 

ନିବିଡ଼ ଆଶ୍ଳେଷ ମଧ୍ୟେ ପ୍ରଶ୍ନ ବାରବାର

ଉଠିନି କି ପ୍ରିୟ ସଖି ? କଙ୍କଣ ଝଂକାର

ସହସା ସ୍ତବ୍‍ଧ ହୁଏ, ଉନ୍ମୁଖି ଚୁମ୍ବନ

ରହିଯାଏ ଅର୍ଦ୍ଧ ପଥେ, ନିଶ୍ଵାସେ କମ୍ପନ

ଆସେ ସେ କରୁଣ ପ୍ରଶ୍ନେ—‘ଭୃତ୍ୟ ମରଣର

କାହା ଅଙ୍ଗେ ଅଗ୍ରେ ଥୋଇ ତା’ ଶୀତଳ କର

ନିଃସଙ୍ଗ କରିବ ଆନେ ?’ —ଲାଗଇ କଳହ

ଦୁଇ ଜନେ କରିବାକୁ ମରଣ ସଂଗ୍ରହ

ଆଗ ହୋଇ ଆନଠାରୁ ।

ଆଜି କିନ୍ତୁ ସଖି

ସେ ଭୟ ନାହିଁଛି ଆଉ; ମତେ ଏଥି ରଖି

ଯାଅ ଯଦି ପରପାରେ ପ୍ରେମ ମୃତ୍ୟୁଞ୍ଜୟ

ଶକ୍ତି ଦେବ ବିରହରେ । ମରଣରେ ଜୟ

କରିବି ମୁଁ ଚିତା-ଭସ୍ମେ ଛାଇ ଦେହ-ସୀମା

ଦେହ ତଳେ ପୂଜି ତବ ମାନସୀ-ପ୍ରତିମା ।

 

☆☆☆

 

ବିରହ

 

ବହୁ ଦେଶ, ବହୁ ବନ, ଗିରି ନଦୀ ପାରେ

ବହୁ ଦୂରେ ଏକ ଗ୍ରାମେ ଛାଡ଼ି ମୁଁ ପ୍ରିୟାରେ

ବିଦେଶେ ବିଚ୍ଛେଦ-ଦୁଃଖ ଭୋଗୁଛି, ହୃଦୟେ

ଜ୍ଵଳନ୍ତ ଅଙ୍ଗାର ଜାଳି । ମନ ନାହିଁ ରହେ

ଏ ସ୍ଥାନେ ଏ କର୍ମ୍ମ ମେଳେ, ଧାଏଁ ଅହରହ

ପୁଣି ସେହି ଛୋଟ ଗ୍ରାମେ, ପ୍ରିୟାର ବିଗ୍ରହ

ଧରି ଯେ ରଖିଛି ଏକ ଦରିଦ୍ର କୁଟୀରେ

ସିକ୍ତ ଯାର ରେଣୁରାଶି ପ୍ରିୟା ନେତ୍ର–ନୀରେ ।

ବ୍ୟବଧାନ ଦୁଇ ପ୍ରାନ୍ତେ ଯୁଗଳ ପ୍ରଣୟୀ—,

ଦୁଇ ହୃଦୁ ବାର୍ତ୍ତା ଯାଏ ଅଗୋଚରେ ରହି

କରି ବ୍ୟବଧାନ ଜୟ; ତେଣୁ ଦୁହିଙ୍କର

ନେତ୍ରୁ ପଡ଼େ ଅବାରିତ ଅଶ୍ରୁ ବିରହର ।

ଦୁଇ ଦେଶେ ଦୁଇ ଦୁଃଖୀ—ପ୍ରେମ ଥାଇ କହେ

‘ଚିନ୍ତା ନାହିଁ,—ପ୍ରାଣ ଲଭେ ପ୍ରସାର ବିରହେ’

☆☆☆

 

ପୁନର୍ମିଳନ

 

ଭାବିଛି ସମସ୍ତ ପଥ ମୁଖଛବି ତାର

କେମନ୍ତେ ମୋ ପାଶେ ପୁଣି, ତା’ର ଅଭିସାର

ହୋଇବ ବିରହ ପରେ; ଭାଷି ମୁଁ କି ବାଣୀ

ଡାକିବି ପ୍ରଥମେ ତାରେ ଅଭିମାନେ ରାଣୀ

ନ ଶୁଣିଲେ ମୋ ଆଦର, ନ ବସିଲେ ପାଶେ

ମୋ ବ୍ୟଥା ବ୍ୟକତ ମୁହିଁ କରିବି କି ଭାଷେ ?

ଏହି ସେହି ଦ୍ଵାରଦେଶ ରଖ ରଖ ଯାନ

ଓହ୍ଲାଏ ମୁଁ,—ଥରିଲାଣି ମୋ ନିଖିଳ ପ୍ରାଣ

ପୁଲକିତ ଆଶଙ୍କାରେ । ଗୃହ–ଲକ୍ଷ୍ମୀ କାହିଁ

ଗୃହେ ମୁଁ ଯେ ହେଲି ଏବେ—କେହି କଣ ନାହିଁ ?

ସହସା ଚରଣପାତ ଶୁଭିଲା କାହାର,

ପଣନ୍ତର ସଞ୍ଚାଳନ; ଦିଗ ବାରୁଁ ତାର,

ସମ୍ମୁଖେ ହୋଇଲେ ଉଭା ଶିରୀ କୁଟୀରର

ନେତ୍ର ମିଳୁ ମିଳୁ ବକ୍ଷ ମିଳିଲା ସତ୍ଵର ।

☆☆☆

 

ଦେହ ଓ ସ୍ନେହ

 

ପାଇଲି ମୁଁ ସ୍ନେହ-ରତ୍ନ ଦେହେ ଅବଗାହି

ମୁକ୍ତା ପାଇ ଫେରିଛି ମୁଁ ଗୁଞ୍ଜା ଖୋଜି ଯାଇ

ପ୍ରିୟାର ସରସ ସ୍ନେହ ଦେହ-ଅବସାନ,

କରିଅଛି ଶେଷେ ମୋର । ଆତ୍ମା, ପରିତ୍ରାଣ

ଲଭିଛି ବନ୍ଧନ ଦେଇ, ଇନ୍ଦ୍ରିୟର ଶେଷେ

ଅତୀନ୍ଦ୍ରିୟ ସୁଖ ଲଭି ଆଜି ଅବଶେଷେ

ହୋଇଛି ମୁଁ ଜିତେନ୍ଦ୍ରିୟ । ଆଜି ଯେବେ ପ୍ରିୟା

ପାଶେ ଆସି ଯୁକ୍ତ କରେ ହିୟା ସଙ୍ଗେ ହିୟା

ଭୁଲେ ମୁଁ ଶରୀର-ସ୍ପର୍ଶ ଅନୁଭବେ ଖାଲି

ତା ’ ଦେହ-ମନ୍ଦିର ମଧ୍ୟେ, ପ୍ରିୟା ମୋର ଜାଳି

ରଖିଛି ଯେ ପ୍ରେମ-ଶିଖା; ଉଷ୍ଣତା ତାହାର

ତା’ ଜଡ଼-ଶରୀର ଭେଦି ମୋ ଦେହେ ସଂଚାର

କରୁଛି ଜୀବନ-ରସ । ପ୍ରଣୟ ଆମ୍ଭର

ରୂପ-ପର ଥିଲା ଦିନେ ଆଜି ରୂପୋତ୍ତର ।

☆☆☆

 

ଭୋଗ ଓ ତ୍ୟାଗ

 

କରିବା କିସ ଗୋ ସଖି, ଭୋଗ ଆଉ ତ୍ୟାଗ

ଗ୍ରହଣ କରିବା କା’ରେ, କା’ରେ ପରିତ୍ୟାଗ ?

କହିଲା ବିଦୁଷୀ ପ୍ରିୟା—କି ସୁଖ ଭୋଗରେ ?

ଅଧମ ପ୍ରବୃତ୍ତି ଆଉ ସ୍ଥୁଳ ଇନ୍ଦ୍ରିୟରେ

ତୃପ୍ତି ଖାଲି ମିଳେ ତହିଁ; ମାନବ ଆତ୍ମାର

ଦୈବତ ପିପାସା ତହିଁ ନୁହେଁ ମେଣ୍ଟିବାର ।

ଆତ୍ମାର ନିର୍ମଳ ପ୍ରେମ ଢାଳ ମୋ ଆତ୍ମାରେ

ସେଇ ମୋ ପରମ ଭୋଗ ମୋ ପ୍ରେମ-ବାହାରେ

ଦେଖ ଯାଅ ପଥେ ପଥେ ଦୁଃଖ ଅତ୍ୟାଚାର

ନଗ୍ନ ବର୍ବରତା ଘେନି କରଇ ବିହାର

କେହ୍ନେ ତବ ଜାତି-ଦେଶେ; ପତିତ ଦଳିତ

ଚିତ୍କାରେ ପୂରଇ ବୟୁ । ଦିଅ ତବ ଚିତ୍ତ

ହତଭାଗ୍ୟ, ନିଃସହାୟ, ଦରିଦ୍ର ସେବାରେ,

ଜୀବନରେ ମୂଲ୍ୟ ଦିଅ ସେହି ବଞ୍ଚିବାରେ ।

☆☆☆

 

ଭକ୍ତି

 

ଏକଦିନ ନିଶାଶେଷେ ଗୃହ-ବଳଭୀରେ

ଦେଖାଇ ନିଶାନ୍ତ-ନଭଃ ପ୍ରାଣସଙ୍ଗିନୀରେ

ବୁଝାଇଲ ସୃଷ୍ଟିକଥା । ଅନନ୍ତ ଗଗନେ

ଅରଣ୍ୟ ହୀରକ-ଖଣ୍ଡ ନିଃସର୍ଗ-ଜ୍ଵଳନେ

ଜଳୁଥିଲେ ନିର୍ନିମେଷ; କହିଲି ଦେଖାଇ,

“ଏ ଯେଉଁ ଜ୍ୟୋତିର ରେଣୁ-ପୁଞ୍ଜ ନଭଃ ଛାଇ,

ଏହାର ପ୍ରତ୍ୟେକ ଏକ ସୌର ପରିବାର

ଗ୍ରହ-ଉପଗ୍ରହ ଘେନି ଅଗଣ୍ୟ ସଂସାର

ଭ୍ରମୁଛନ୍ତି ଅନ୍ତରୀକ୍ଷେ ସେ ଜ୍ୟୋତିର୍ମଣ୍ଡଳେ

ଆମ୍ଭର ଏ ଧରା, କ୍ଷୁଧ୍ର ରେଣୁ ସମ ଚଳେ

ସୀମାହୀନ ବ୍ୟୋମପଥେ; ଏ ମହା-ସୃଷ୍ଠିର

କିଏ ସ୍ରଷ୍ଟା ? ଅଛି କିଏ ?’—ରହି କ୍ଷଣେ ସ୍ଥିର

‘ଅଛି’ କହି ଏକବିନ୍ଦୁ ଭକ୍ତ ସମ ତଳି

ସ୍ରଷ୍ଠାରେ ନମିଲା ପ୍ରିୟା ମୁଖ ନତ କରି

☆☆☆

 

ପ୍ରାଥନା

 

କଠୋର ଜୀବନ-ରଣେ ନିତ୍ୟ ପରାହାତ

ଦୁର୍ବଳ, ଦରିଦ୍ର, ଦୁଃଖୀ, ଦୀନ ମୁଁ ସନ୍ତତ

ଜାଣିନି ଜୀବନେ ଅନୁଗ୍ରହ ବିଧାତାର

ତେଣୁ ପ୍ରାୟ ନାସ୍ତିକ ମୁଁ । ନିତ୍ୟ ହାହାକାର

ଚୌଦିଗେ ଉଠୁଛି ଯେଉଁ ଜୀବ-ଜଗତର

ସେଥିରେ ଅଥବା କେଉଁ ଶିବ-ଶୁଭଙ୍କର

ସ୍ରଷ୍ଟାର ବିଶ୍ୱାସ ମିଳେ ? ଥରେ ଥରେ ଖାଲି

ଭାବେ ଯେବେ କିଏ ଦେଲା ପ୍ରଣୟ-ସଂଖାଳି

ଅପଦାର୍ଥ ହସ୍ତେ ମୋର, ହୁଅଇ ବିଶ୍ଵାସ

ଅଛି କେହି ସୁଖ-ସ୍ରଷ୍ଟା ବୁଝେ ଯେ ନିଶ୍ୱାସ

ଶୋକ-ତପ୍ତ ମନୁଷ୍ୟର । ଦିନେ ମୁଁ ପ୍ରିୟାରେ,

ପଚାରିଲି—‘ଭକ୍ତି କର ଦେବ-ଦେବତାରେ ?’

‘ହଁ’ ବୋଲି ବୋଲିଲା ସଖି—‘କି କର ପ୍ରାର୍ଥନା ।’

‘ତୁମରି ମଙ୍ଗଳ ନିତ୍ୟ କରେ ମୁଁ ଯାଚନା ।’

☆☆☆

 

ଜିଜ୍ଞାସା

 

ହାୟ ଋଜୁ-ବିଶ୍ଵାସିନି ! ବୁଝିଛ କି ଥରେ

କାହାରେ ପ୍ରାର୍ଥନା କର ? ତିକ୍ତ ଅଶ୍ରୁଜଳେ

ଏକାନ୍ତ ଶରଣ ବୋଲି ଡାକିଛ ଯାହାରେ

ସତ୍ୟ ସେ କି, ମିଥ୍ୟା ଅବା କେବେ ଆପଣାରେ

ପଚାରିଛ ସଖି ମୋର ? ବାଳୁତ ବୟସେ,

ତୁମ୍ଭ ପରି ଚିତ୍ତ ମୋର ବିଶ୍ଵାସର ରସେ

ରସବନ୍ତ ଥିଲା ସଖି ଦେବତା-ଈଶ୍ଵର

ନ ଥିଲେ ଦୁରରେ ତେଣୁ । ଆଜି ତର୍କ-ପର

ଯୌବନ କିନ୍ତୁ ଗୋ ସଖି ସୃଜି ଅବିଶ୍ଵାସ

ସେଦିନ-ବିଶ୍ଵାସେ କରି ସ୍ନିଗ୍‍ଧ ପରିହାସ

ବହୁଦୂରେ ରଖିଅଛି ସେଦିନ-ଈଶ୍ଵରେ

କବିର କଳ୍ପନା ବୋଲି ଆଜି ମୁଁ ଚିତ୍ତରେ

ଭାଳେ ଖାଲି ଦୁଇ ମଧ୍ୟେ ସତ୍ୟ, କୁ’ପଥରେ

ଏବ-ଅବିଶ୍ୱାସ ଅବା ସେବ-ବିଶ୍ଵାସରେ ।

☆☆☆

 

ବିରାଟ ସ୍ରଷ୍ଠା

 

ଦିନେ ଦିନେ ତାରକିତ ଗଗନରେ ଚାହିଁ

ଦେଖେ ମୁଁ ସୃଷ୍ଟିର ଲୀଳା—ମହା ବ୍ୟୋମେ ଥାଇ

ଅଗଣ୍ୟ ସଂସାର ଭ୍ରମୁଛନ୍ତି ଅବିରତ

କା’ର ମହା ଇଙ୍ଗିତରେ ? ଚନ୍ଦ୍ରାତପ ବ୍ରତ

ନୀଳ ବ୍ୟୋମେ ଖଞ୍ଜିଲା କେ ବିଦଗ୍‍ଧ ସୁନାରୀ

ହୀରା-ଚୂର୍ଣ୍ଣ ସମ ଏତେ ସୃଷ୍ଟି ସାରି ସାରି

ଜୀବନ୍ତ ନୀୟମେ ବାନ୍ଧି ? ସୂର୍ଯ୍ୟ ଲକ୍ଷ ଶତ

କୁଟୁମ୍ବ ତାଙ୍କର ଧରି ପିପୀଲିକା ବତ

ଚାଲିଛନ୍ତି ବ୍ୟୋମ-ମାର୍ଗେ ଯୁଗଯୁଗାନ୍ତରୁ

ଅଜ୍ଞେୟ ଅଜ୍ଞାତ ରାଜ୍ୟେ କାହା ଇଙ୍ଗିତରୁ

ଏ ସୃଷ୍ଟି ପାଇଲା ଗତି ? ବିରାଟ ବ୍ୟାପାର

କିଏ ସେ ସୃଜିଲା ଅବା ? ଉତ୍ତରେ ଏହାର

ସନ୍ଧାନ ମିଳଇ ଏକ ବିରାଟ ସ୍ରଷ୍ଟାର

ସ୍ତବ୍‍ଧ ଚିତ୍ତବୃତ୍ତି କରେ ମହିମା ଯାହାର ।

☆☆☆

 

ସନ୍ଦେହ

 

କିନ୍ତୁ ପରେ ଜିଜ୍ଞାସା ମୋ ଚିତ୍ତରେ ଉଠଇ

ଏହି ଯେ ବିରାଟ ସ୍ରଷ୍ଟା ସେ କ’ଣ ଶୁଣଇ

ମାନବର ସୁଖ ଦୁଃଖ କୋଟି ଭୁବନର

ଉତ୍ତୁଙ୍ଗ ସମ୍ରାଟ ସେ ଯେ; ତା ରଥ-ଚକ୍ରର

ରେଣୁ କରୁଥିବ ସୃଷ୍ଟି ବ୍ୟୋମ-ପ୍ରାଙ୍ଗଣରେ

ଆମ୍ଭର ଧରଣୀ ପରି ମହୀ ଅଜ୍ଞାତରେ

ଲକ୍ଷ ଲକ୍ଷ ଶତ ଶତ; ଆମ୍ଭ ଧରା ପରି

କେତେ ବା ତାହାର ରଥ-ଚକ୍ର ତଳେ ପଡ଼ି

ହେଉଥିବେ ନିଷ୍ପେଷିତ ବିରାଟ ଈଶ୍ଵର

ସମ୍ବାଦ ରଖଇ ତାର ? ତା ମହାଯାନର

ଗତି କେବେ ସ୍ଥିର କରେ କରୁଣ କ୍ରନ୍ଦନ

ନିଷ୍ପେଷିତ ଜଗତର ? ସେ ବିଶ୍ୱ-ବନ୍ଦନ

ଭୃକ୍ଷେପ କରଇ ବା’କି ଭକ୍ତି-ବନ୍ଦନାରେ

ଅଣୁର ଅଣୁଏ ନର ଦିଏ ଯା ଶ୍ରଦ୍ଧାରେ ?

☆☆☆

 

ଦୁଃଖମୟ ସୃଷ୍ଟି

 

ସମ୍ମୁଖରେ ଦେଖି ଦୁଃଖମୟ ଏ ସଂସାର

ରୋଗ, ଶୋକ, ଦାରିଦ୍ର୍ୟର ବିଭତ୍ସ ବିକାର

ମିଥ୍ୟାର ତାଣ୍ଡବ ଲୀଳା, ଅନ୍ୟାୟର ଜୟ

କଠୋର ଜୀବନ-ରଣେ ପ୍ରବଳ-ବିଜୟ

ଦୁର୍ବଳର ଜାନୁଭଙ୍ଗ,—କହିବ କିଏ ସେ

ଈଶ୍ଵର ଶୁଣନ୍ତି ଡାକ ନରର, ଦିଏ ସେ

କରୁଣ ବିଳାପେ ଯାହା ଊର୍ଦ୍ଧ୍ୱେ ବାହୁ ତୋଳି

ଆକାଶେ ଭରସା କରି ? ଯନ୍ତ୍ରଣାରେ ବୋଳି

ଗଢ଼ିଛି ଯେ ସୃଷ୍ଟି ତାହା ଜୀବ ଶୁଭ ପାଇଁ

କେ କିପାଁ କହିବ ଅବା ? ଚିତ୍ତ-ସୁଖ ପାଇଁ

ଲକ୍ଷ କୀଟ–ଜୀବ ଏଇ ଦଳିଲି ମୁଁ ପଦେ,

କେ ତାଙ୍କୁ ରଖିଲା ଆସି ଏ ଗୁରୁ ବିପଦେ ?

ସବୁ ଜୀବ ଏହିପରି ଏଥି ଅଶରଣ

ଭୋଗୁଛନ୍ତି ଅର୍ଥହୀନ ଜୀବନ-ମରଣ ।

☆☆☆

 

ସୃଷ୍ଟି ଓ ଧ୍ଵଂସ

 

ଅଜ୍ଞାତ ଶକତି ଏକ ଆୟସ-ଶାସନେ

ଚଳାଏ ବିପୁଳ ସୃଷ୍ଟି, ଜୀବନେ ମରଣେ

ପ୍ରାଣୀର ଭୃକ୍ଷେପ ନାହିଁ ତିଳେକ ତାହାର,

ପ୍ରାର୍ଥନା ଆମ୍ଭର ବ୍ୟର୍ଥ, ନିଷ୍ପଳ ଚିତ୍କାର ।

କ୍ରୀଡ଼ାପର ଶିଶୁ ପରି ସୃଜି ଏ ସଂସାର

ପଦାଘାତେ ଭାଙ୍ଗିବାରେ ଆନନ୍ଦ ତାହାର ।

ମାନବ ଗର୍ବର ବସ୍ତୁ ଉନ୍ନତ ସଭ୍ୟତା,

ତାକୁ ସେ କି ଚାହେଁ ତିଳେ ? ସେ କରୁଣ କଥା

ଇତିହାସ କହେ ଆଜି, କେତେ ମହାଜାତି

ଧ୍ୱଂସ ହେଲେ ଧରାପୃଷ୍ଟ, ଆଜି ସେ କାହାନ୍ତି

ରଚିଲେ ସେ ପିରାମୀଡ ? ସେହି ଜାତି ପରି

ଆମ୍ଭେ ମଧ୍ୟ ହେବୁ ଧ୍ୱଂସ ସମୃଦ୍ଧ ନଗରୀ

ଆଜି ଯହିଁ, ତହିଁ ହେବ ବାଲୁକା-ବିସ୍ତାର

ସୃଷ୍ଟ ଖାଲି ଧ୍ଵଂସ ପାଇଁ ସ୍ରଷ୍ଟାର ସଂସାର ।

☆☆☆

 

ବିଶୁଦ୍ଧ ସନ୍ଦେହ

 

ବିଶୁଦ୍ଧ ସନ୍ଦେହ ଭଲ କ୍ଳିନ ବିଶ୍ଵାସରୁ

ତେଣୁ ଏ ନାସ୍ତିକ ତର୍କ ଅଧମ ଚିତ୍ତରୁ ।

ମାନବର ଦୁଃଖ କଷ୍ଟ ଜଗତର ପ୍ରାସ

କ୍ରମେ କ୍ରମେ ନିଏ ମୋର ଈଶ୍ଵର-ବିଶ୍ୱାସ ।

ଗଭୀର ନିରାଶାମୟ ଏ ଜୀବ-ସଂସାରେ

ଏକମାତ୍ର ଆଶା ଖାଲି ମାନବ-ଆତ୍ମାରେ ।

ସମସ୍ତ କଷଣେ, ନିଷ୍ପେଷିତ ଅତ୍ୟାଚାରେ

କରୁଣା, ବିଶ୍ଵାସ, ସ୍ନେହ ମହିମା ପ୍ରଚାରେ

ମାନବ-ଆତ୍ମାର ନିତ୍ୟ; ଏହି ରସ ପାଇ

ମାନବ ବଞ୍ଚିଛି ଏଥି, ଏ କଲ୍ୟାଣ ପାଇଁ

ପରିପୂର୍ଣ୍ଣ ଧନ୍ୟବାଦ ଦେଇଛି ସ୍ରଷ୍ଟାରେ

ବାର ବାର ମନେ ମନେ ।

ଶେଷେ ତୁମ୍ଭଠାରେ

ପ୍ରିୟେ ତେଣୁ ଅଳି ମୋର, ଶକ୍ତି ଅନୁଯାୟୀ

ଆତ୍ମାର ଏ ରସ ଦିଅ ବିଶ୍ଵ-ଶୁଭ ପାଇଁ ।

☆☆☆

 

ମୁକ୍ତି ନାହିଁ ମାଗେ

 

ସ୍ଵର୍ଗ, ମୁକ୍ତି ନାହିଁ ବାଞ୍ଛେ, ଜୀବନ ମୁଁ ଚାହେଁ

ସୁଖ-ଦୁଃଖମୟ ଏ ଜୀବନ-ପ୍ରବାହେ

ଏ ବିଚିତ୍ର ଧରଣୀର । ମୋର ଜନ୍ମାନ୍ତର

ଜଗତର କୋଟି କୋଟି ଦୁଃଖୀ-ଦରିଦ୍ରର

ନୟନ-ଲୋତକେ ମୋର ଲୋତକ ମିଶାଇ

ହେଉ ଗୋ ପବିତ୍ରତର । କବିତାରେ ଗାଇ

ଦଳିତ, ଲଞ୍ଛିତ ଯେତେ, ତାଙ୍କ ଦୁଃଖ-ବ୍ୟଥା

ଅବଜ୍ଞାତ, ସୁଖ-ଦୁଃଖମୟ ପ୍ରାଣ କଥା,

ଲେଖନୀ ମୋ ଧନ୍ୟ ହେଉ ଏ ମୋର ଶରୀର

ଅନନ୍ତ କରୁଣା ଭରେ ପୋଛି ନେତ୍ରୁ ନୀର

ଲକ୍ଷ ଲକ୍ଷ ଦରିଦ୍ରର; କ୍ଷୀଣ ପଳେ ପଳେ

ହେଲେ ସେ ପରମ ଭାଗ୍ୟ, ମୋର ଜନ୍ମାନ୍ତରେ

ଜୀବନେ ଜୀବନେ ଜନ୍ମି ରକ୍ତ ମୋର ଦେଇ

ମେଣ୍ଟିବି ମାନବ-ଦୁଃଖ, କ୍ରୁଶ ଅଙ୍ଗେ ନେଇ ।

☆☆☆

 

ଆତ୍ମାର ସୌନ୍ଦର୍ଯ୍ୟ

 

ପଚାରିଛ କେତେ ବାର ‘ମତେ ନା ରୂପରେ

କାହାରେ ପ୍ରଣୟ ଦିଅ ?’ କହିଲେ ସତ୍ୟରେ

ଉଭୟକୁ ପ୍ରିୟ ସହି । ରକ୍ତ ମାଂସ ଦେହ,

ଏ ଦୁଷ୍ଟ ଇନ୍ଦ୍ରିୟ-ଗ୍ରାମ, ଘୃଣା-ଦ୍ୱେଷ-ସ୍ନେହ—

କେମନ୍ତେ କହିବି,—ଏ ସମସ୍ତ ସାଥେ ଧରି

ରୂପାତୀତ ସ୍ନେହ ମମ, ଜିତେନ୍ଦ୍ରିୟ ପରି ?

ରୂପ ବା କି ଘୃଣ୍ୟ କଥା ? ନର-ସୌନ୍ଦର୍ଯ୍ୟରେ

ଭକ୍ତ ସମ ଅଛି ଚାହିଁ ମୁଗ୍‍ଧ ନୟନରେ

କେତେ ବାର ସଖି ମୁହିଁ ବିଦଗ୍‍ଧ ସ୍ରଷ୍ଠାର

ସୃଷ୍ଟିର ମହିମା ସୁରି । କିନ୍ତୁ ଗୋ ଆତ୍ମାର

ସୌନ୍ଦର୍ଯ୍ୟ ତହିଁରୁ ବଳି, ଯାର ସମ୍ମୁଖରେ

ମନୁଷ୍ୟ ନୁଆଁଏ ମଥା । ତବ ରୂପ ତଳେ

ସେ ରୂପର ସନ୍ଧାନ ମୁଁ ପାଇଛି ସୁନ୍ଦରି

ମୋ ପ୍ରେମ ସରସ ଦେହ, ଅନ୍ତର ସଞ୍ଚରି ।

☆☆☆

 

ଗୋପବନ୍ଧୁ

ପ୍ରାଣ-ରୂପେ ରୂପବାନ୍‍ ଜଣେ ମହାଜନେ

ସମ୍ମୁଖେ ଦେଖ ଗୋ ଏଇ ପ୍ରଣମ ଚରଣେ

ପୁଣ୍ୟ-ପ୍ରାଣ ଗୋପବନ୍ଧୁ, ଉତ୍କଳ ଦେଶର

ମୁକୁଟ ବିହୀନ ରାଜା; ଦୀନ ଦରିଦ୍ରର

ପ୍ରକୃତ ପରମ ବନ୍ଧୁ, ଦୀନ ଦୁଃଖୀ ପାଇଁ

ନୟନୁ ହୃଦୟ–ଦ୍ରାବି ଲୋତକ ବୁହାଇ

କିଏ ଆଉ ତାଙ୍କ ପାଶେ ଦୁଃଖ ଦୁର୍ଦ୍ଦିନରେ

ଅନ୍ନ ଧରି ହେବ ଠିଆ, କୋମଳ ବାକ୍ୟରେ

ଭୁଞ୍ଜାଇବ ବୁଭୁକ୍ଷୁରେ ? ଏ ଦେଶ-ଜାତିରେ

ପ୍ରାଣପୂର୍ଣ୍ଣ ସ୍ନେହ ଦେଇ, ନୟନର ନୀରେ ।

ତର୍ପଣ କରିବ କିଏ ? ଉତ୍କଳ-ଜନନୀ

ହରାଇ ଏମନ୍ତ ଯୋଗ୍ୟ ପୁତ୍ର ଗୁଣମଣି

ହୋଇଅଛି ଆଣ୍ଠୁକୁଢ଼ୀ କୋଟି ପୁତ୍ର ଥାଉଁ

ତାଙ୍କ ପରେ ଦରିଦ୍ରର ବନ୍ଧୁ ନାହିଁ ଆଉ ।

☆☆☆

 

ଚନ୍ଦ୍ରଶେଖର

 

ଅଜ୍ଞାନ ତମସାବୃତ ଉତ୍କଳ-ଭୁବନେ

ଜାଳିଲେ ଯେ ଜ୍ଞାନ-ଦୀପ ଦରିଦ୍ର-ପ୍ରାଙ୍ଗଣେ

ଆଲୋକ ଯାହାର ଦେଖି ଦେଶ ଦେଶାନ୍ତର

ଜାଣିଲା ପ୍ରଥମେ ନାମ ଉତ୍କଳ-ଦେଶର,

ଏହି ଚନ୍ଦ୍ରଶେଖର ସେ ପୁରୁଷ ସତ୍ତମ

ସୁନ୍ଦର, ପ୍ରାଣର ରୂପେ, ସଖିରେ ପ୍ରଣମ ।

ରୁଗ୍‍ଣ ରୁକ୍ଷ ଦେହ-ଯଷ୍ଟି; କିନ୍ତୁ ଅନ୍ତରରେ

କି ତେଜ କି ପ୍ରାଣ ଥିଲା ! ଭୁଲି ଦାରିଦ୍ର୍ୟରେ

ଭୁଲି ରୋଗ, ଭୁଲି ଋଣ, ରାଜ-ଅତ୍ୟାଚାର,

ନ ରଖି ଫଳରେ ଆଶା ତିଳେ ସାଧନାର,

କେମନ୍ତେ କଠୋର ଜ୍ଞାନ-ଯୋଗ ସେ ତପସ୍ଵୀ

ସାଧିଲେ ଅଜ୍ଞାତ ରାଜ୍ୟେ ! ମସ୍ତକ ପ୍ରେୟସୀ ।

ଆପେ ନଇଁଆସେ ଏଇ ଋଷି ସମ୍ମୁଖରେ ।

ସ୍ତବ୍‍ଧ ମୁଁ ହୁଅଇ ତାଙ୍କ ପ୍ରାଣ-ସୌନ୍ଦର୍ଯ୍ୟରେ ।

☆☆☆

 

ଯୁଗ୍ମ ସୌନ୍ଦର୍ଯ୍ୟ

 

ବୁଝିଲ ସୌନ୍ଦର୍ଯ୍ୟ-ଭେଦ ? ଝଲକ ଚର୍ମ୍ମର

ଖଦ୍ୟୋତର ଜ୍ୟୋତି ପରି; କ୍ରୂର ବାର୍ଦ୍ଧକ୍ୟର

ନୀହାର-ଶୀତଳ ହସ୍ତ ଦିନେ ସ୍ପର୍ଶେ ତାର

ବଦନେ ସୁନ୍ଦର ତମେ ଆଣିବ ବିକାର,

କରିବ ଲୋଳିତ ଚର୍ମ । ଅନିନ୍ଦ୍ୟ ସୁନ୍ଦରୀ

ସେ କିଶୋରୀ ଆଜି ଛାଡ଼େ ତୀକ୍ଷଣ ବାଣ ପରି ।

ନୟନ କଟାକ୍ଷ ତାର, ଦିନେ ତା’ ନୟନ

ଜ୍ୟୋତିହୀନ ହେବ ଠୁଳେ, ଚଞ୍ଚଳ ଚରଣ

ସ୍ଥବିର ହୋଇବ ଭାରେ । କିନ୍ତୁ ଗୋ ଆତ୍ମାର

ସୌନ୍ଦର୍ଯ୍ୟ ବଢ଼ଇ କ୍ରମେ, ବାର୍ଦ୍ଧକ୍ୟ ବିକାର

ହ୍ରସ୍ଵ, ତାରେ ନାହିଁ କରେ ମୃତ୍ୟୁଭସ୍ମ ପରେ

ସୌରଭ ତାହାର ଲୋକ-ହୃଦୟେ ସଂଚରେ

ପୁରୁଷୁଁ ପୁରୁଷ କରି । ସେଇ ସୌରଭରେ,

ମାନବ-ସଭ୍ୟତା ଗଢ଼ା ହୁଏ ଜଗତରେ ।

☆☆☆

 

ଗ୍ରାମ-ସନ୍ଧ୍ୟା

 

ସନ୍ଧ୍ୟା ସମାଗତ ଏବେ, ଗ୍ରାମ କନ୍ୟାଗଣ

ଶୂନ୍ୟକୁମ୍ଭ କାଖେ ଘେନି କଲେଣି ଗମନ

ଗ୍ରାମକୂପୁଁ ଜଳ ଲାଗି, ଗ୍ରାମ ଗାଭୀଦଳ

ଲେଉଟନ୍ତି, ଖୁରା-ଘାତେ ବାଲୁକାପଟଳ

ଉଡ଼ାଇଣ ଗ୍ରାମ-ଦାଣ୍ଡେ ଅସ୍ତ ରବିକର

ଗୃହ-ଚାଳେ ଊର୍ଦ୍ଧ୍ୱେ ରହି ତହିଁ ସୁବର୍ଣ୍ଣର

ବସନ ଦେଇଛି ଭିଡ଼ି । ଯୁଗ୍ମ ପାରାବତ

ବସି ତହିଁ କରୁଛନ୍ତି ଚଞ୍ଚୁରେ ଆହତ

ପରସ୍ପରେ କୌତୁକରେ ଗୃହ କର୍ମ ସାରି

ଗୃହିଣୀ ଆସିଲେ ଏଇ ଧରି ଜୀର୍ଣ୍ଣ ଶାଢ଼ୀ

ବଳିବାକୁ ସଞ୍ଜବତୀ; କର୍ମିଷ୍ଠ ଗୃହସ୍ଥ

ଫେରିଲେଣି ଏଣେ କ୍ଷେତ୍ରୁ; ମୋର ଗୀତ-ଗ୍ରନ୍ଥ

ଏ ମୁହୂର୍ତ୍ତେ ସାଙ୍ଗ କରେ ପ୍ରେୟସି ଗୋ କହ

ବିଶେଷ ବକିଲେ ହେବ ପ୍ରଣୟ-କଳହ ।

☆☆☆

 

ଅପରାଧ

 

କହିବାକୁ ପଚାରିଛ ତୁମେ କେତେ ବାର

ଜୀବନେ କରିଛି କିବା ପାପ-ବ୍ୟଭିଚାର !

ଭାବିଛି ଅନେକ ଥର ସରମ ଫୋପାଡ଼ି,

ତବ ଆଗେ ଦିଅନ୍ତି ମୋ ଅପରାଧ ବାଢ଼ି

ତପ୍ତ ଗୁପ୍ତ ଅନ୍ତରର । କିନ୍ତୁ କିସ ଲାଭ ?

ଅପରାଧ ଜାଣିଲେ କି ବଢ଼ିବ ସଦ୍‍ଭାବ,

ଘନତର ହେବ ପ୍ରୀତି ? ନଖେ ନଖେ ଚିରି

ଅଧିକ କି ଅନୁଭବ ହୁଏ ପୁଷ୍ପ–ଶିରି ?

ମୋ ଆତ୍ମାର ପୂଣ୍ୟ ଗନ୍ଧ ଦେବି ମୁଁ ତୁମରେ

ସରଳ ନିର୍ମଳ ପ୍ରେମ ଢାଳିଦେବି କରେ,

ବିନିମୟ ଦିଅ ମତେ । ପାପ-ଅପରାଧ

ପ୍ରେମ-ସିନ୍ଧୁ ତଳେ ପଡ଼ୁ । ରଖି ସେ ସଂବାଦ

କି ଲାଭ ତୁମ୍ଭର ହେବ ? କର୍ତ୍ତବ୍ୟ ତୁମ୍ଭର

ପ୍ରେମ-ଜଳେ ଧୋଇ ମତେ ପବିତ୍ରିତ କର ।

☆☆☆

 

ନିଶୀଥ-ଆଳାପ

 

ନୀରବ ନିରୋଳ ଗ୍ରାମ; ନିଦାଘ ରଜନୀ

ସ୍ଵେଦ-ସିକ୍ତ କରେ ଶଯ୍ୟା, ଆଜି ଗୋ ସଜନି

ଶୟନେ ବିଦାୟ ଦିଅ । ବସ ମୋ ପାଶରେ

ଆଣ ସେଠୁ ତାଳବୃନ୍ତ ବ୍ୟଜନ ମୁଁ ଧୀରେ

ବିଞ୍ଚିଦେବି ଦେହୁ ସ୍ଵେଦ; ତା’ପରେ ନୀରବ

ଏ ନିଶୀଥ ଗୁଞ୍ଜରିତ କରି, ଅନୁଭବ—

ଦୁହିଙ୍କର, ପରସ୍ପରେ ହେବା କୁହାକୁହି,

ଅମ୍ଳ-ମଧୁ ପରିହାସ ହେବା ସୁହାସୁହି ।

ଶେଷେ ନିଶା-ଶେଷେ ଯଦି ସୈନ୍ଧବ ପବନ

ଶୀତ ସ୍ପର୍ଶେ ତନ୍ଦ୍ରାଜଡ଼ କରିବ ନୟନ

ସଧୀରେ ଶୁଆଇଦେବି, ଦରିଦ୍ର ଶୟନେ

ଉପାଧାନେ ଥୋଇ ମଥା । ଭୟ ଅକାରଣେ

କର ନାହିଁ ସଖି ମତେ । ଅଙ୍ଗ-ଆବରଣ

ଆବୃତ ରଖି ଗୋ ଥିବ ଉରୁରୁ ଚରଣ ।

☆☆☆

 

ଅନୁରୋଧ

 

ଚେତା ନ ହରାଉଁ ସଖି ଗଭୀର-ଶୟନେ

ଶୁଣ ଖାଲି ପଦେ କଥା କହେ ମୁଁ ଶ୍ରବଣେ ।

ନଶ୍ଵର ମାନବ-ଜୀବ, ଅଗ୍ନିକଣା ପରି

କାହୁଁ ଜଳିଯାଏ କାହିଁ ଶୂନ୍ୟରେ ସଂଚରି ।

କ୍ଷୁଦ୍ର ଏ ଜୀବନ ପୁଣି ଅସଂଖ୍ୟ ଜଞ୍ଜାଳେ

ଜଡ଼ୀଭୂତ; ଜଳେ ନୁହେଁ ଅଧିକେ ଜମ୍ବାଳେ

ପରିପୂର୍ଣ୍ଣ ମାନବର ଜୀବନ-ସରିତ,

ରସ ପାଇଁ ଯୁଦ୍ଧ ଚାହି ବିଷର ସହିତ ।

ଦୁଃଖମୟ ଏ ସଂସାରେ, ନିତ୍ୟ ଦୁର୍ଦ୍ଦିନରେ

ଏକମାତ୍ର ଆଶା ଖାଲି ମାନବ ପ୍ରାଣରେ ।

ପ୍ରାଣ ପାଶେ ଠିଆ କର ପ୍ରାଣ ତବ ସଖି,

ବିଶ୍ଵାସ, ପ୍ରଣୟ, ପ୍ରୀତି ପରଷ୍ପରେ ରଖି,

ପଙ୍କରୁ ପଙ୍କଜ ଏଥି ଫୁଟାଇବା ଆସ

ଦୁଃଖ ମଧ୍ୟେ ଏ ଜୀବନ ହେଉ ଦୀର୍ଘ-ରାସ ।

☆☆☆

 

ଜୀବନ-ପଥ

 

ଆଣ ତବ କର ସଖି, ଧରେ ମୁଁ ନିବିଡ଼େ

ଚାଲିବା ସରଣୀ ଖୋଜି, ଏ ସଂସାର-ଭିଡ଼େ,

ଜୀବନ-ସଂଗ୍ରାମ କାଟି । ମିଥ୍ୟା, ବ୍ୟଭିଚାର,

ଦାରିଦ୍ର୍ୟ, ଲାଞ୍ଛନା, ଦୁଃଖ, ଦୈନ୍ୟ, ଅବିଚାର

ସମସ୍ତ ଜିଣିବା, ଆତ୍ମା ଆତ୍ମାରେ ମିଶାଇ

ଦୁର୍ଦ୍ଦିନ କାଟିବା ପରସ୍ପର ମୁଖ ଚାହିଁ ।

ଅନ୍ୟାନ୍ୟ ପ୍ରଣୟ, ହେଲେ ବର୍ମ୍ମ ଅନ୍ୟୋନ୍ୟର

ଛୁଇଁ ନ ପାରିବ ଦୁହେଁ ଦୁଃଖ ଜଗତର ।

ଦୁହିଁଙ୍କର ପଦ-କ୍ଷତ ଦୁହିଙ୍କ ଲୋତକେ

ପୋଛିବା ଯଦି ଗୋ ବ୍ୟଥା ତୁଟିବ କ୍ଷଣକେ

ପ୍ରେମହୀନ ଏ ସଂସାରେ ବିତରି ପ୍ରଣୟ

ଆଘାତକୁ ଆଶୀର୍ବାଦ ଦେଇ ବିନିମୟ

ବଞ୍ଚିବା ଜୀବନ ଯଦି, ଆମ୍ଭ ଯିବା ପଥେ

ଈଶ୍ଵର ଫୁଟିବେ ପୁଷ୍ପ ସମ ପଛେ ପଛେ ।

☆☆☆

 

ଜୟେ-ପରାଜୟେ

 

ଗୁଣବତୀ ହେ କିଶୋରୀ, ମାନ-ଅଭିମାନ

ଘେନା-ଘେନି, ତ୍ୟାଗ-ଭୋଗ, ଦ୍ଵନ୍ଦ୍ୱ-ସମାଧାନ

ଏସବୁ ମଧ୍ୟରେ ଆମ୍ଭ ପ୍ରେମ-ଶତଦଳ

ଫୁଟିଉଠୁ ପଦ୍ମ ଯଥା ଫୁଟେ ଭେଦି ଜଳ ।

ସଂସାର-ସଂଗ୍ରାମେ ଯୁଝି ଜୟମାଲ୍ୟ ଧରି

କୁଟୀରେ ଫେରିବି ଯେବେ ତୁମ୍ଭ ସହଚରି

ସ୍ଵର୍ଣ୍ଣ-ଭୁଜ ମାଳା ମୋର କଣ୍ଠେ ଦେଇ ଭିଡି

ଚୁମ୍ବନ-ତିଳକ ସ୍ଵିନ୍ନ-କପାଳେ ନିବିଡ଼ି

ସାର୍ଥକ କର ମୋ ଜୟ । ଫେରିବ ଯେ ଦିନ

ଭଗ୍ନଜାନୁ, ଅବସନ୍ନ, ପରାଜୟ-ଦୀନ

ସେଦିନ ଜନନୀ ସମ ତୋଳି ମତେ ତଳୁ

କଲ୍ୟାଣ-କୋମଳ ହସ୍ତେ ନିଖିଳ ଅଙ୍ଗରୁ

ପୋଛିନେଇ ସବୁ ଦୈନ୍ୟ, ସବୁ ଅପମାନ

ଦେବ ମତେ ଦେବ ପ୍ରେମ,—ମୋ’ ଶ୍ରେଷ୍ଠ ସମ୍ମାନ ।

☆☆☆

 

ଭଗିନୀ

 

ଏଇ ଗୀତ ଶେଷେ ଆସ ଦୁହେଁ ନମସ୍କାର

କରିବା, ତାରେ ଯେ—କରି ଚିକୁର ସଂସ୍କାର,

ଅଙ୍ଗେ ଦେଇ ଆଭରଣ ନୟନେ କଜ୍ଜଳ

ତୁମ୍ଭରେ ଆଣଇ, ବାଞ୍ଛି ଅନନ୍ତ ମଙ୍ଗଳ

ଦୁହିଙ୍କର, ମୋ ମନ୍ଦିରେ ଶାନ୍ତ ନିଶୀଥରେ

ଶୟନ ସଜାଡ଼ି ଦିଏ ମାତୃ ସ୍ନେହ ଭରେ ।

ଦୁଃଖିନୀ ଭଗିନୀ ମମ ଜାଣ ସେ କଲ୍ୟାଣୀ

ଏକବୃନ୍ତେ ଯୁଗ୍ମ ପୁଷ୍ପ ଆମ୍ଭେ ଦୁହେଁ ଜାଣି;

ଏକ ଲାଗି ଆନ କାନ୍ଦେ, ରହି ଦୂରେ ଦୂରେ

ମୁଁ କାନ୍ଦେ ବିଦେଶ ଭୂମେ, ସେ ଚିଲିକା-କୂଳେ ।

ପୋଛିବି କେମନ୍ତେ ନୀର ତା’ର ନୟନର

ସଖି ଗୋ ନ ଜାଣେ ମୁହିଁ । ଦୀନ ଦରିଦ୍ରର

କାହିଁ ଏ ଜଗତେ ସେହି ପୁଣ୍ୟ ଅଧିକାର ?

ମୋ ସାଧ୍ଵୀ ଭଗିନୀ ଭୁଞ୍ଜେ ତେଣୁ ଅତ୍ୟାଚାର ।

☆☆☆

 

ପ୍ରେମିକର ଅଧିକାର

 

କିଶୋରି ଜାଣ ଗୋ ମତେ ଦରିଦ୍ର ଭିଖାରୀ

ତୁମ୍ଭର ପ୍ରଣୟ-ଦ୍ୱାରେ କର-ପୁଟ ପାରି

ମାଗିବି ବିନିତେ ତବ ମହାର୍ଦ୍ଧ ପ୍ରଣୟ

—ସେହି ମୋର ଅଧିକାର । ନିର୍ଦ୍ଦୟ-ହୃଦୟ

ହୋଇ ଯଦି କହ ଦିନେ–’ତୁମ୍ଭେ ଅଭାଜନ

ମୋ ପ୍ରେମର, ଯାଅ ଫେରି, ପ୍ରଣୟ ଯାଚନ

ରଖି ମୁଁ ପାରିବି ନାହିଁ’—ଫେରିବି ନୀରବେ

ତୁମ୍ଭର କୁଟୀର-ଦ୍ଵାରୁ, ପ୍ରଣୟୀ-ଗରବେ

ନ ତେଜିବି ଅଶ୍ରୁ ବିନ୍ଦୁ । ଫେରି ମୋ କୁଟୀରେ

ବିଚରିବି ସ୍ଵର୍ଣ୍ଣ-ସୀତା, ଉଷ୍ମ ଅଶ୍ରୁନୀରେ

ଅଭିଷିକ୍ତ କରି ତାରେ ଦେବି ଅନୁରାଗ

ଜୀବନ୍ତ ପ୍ରେୟସୀ ଭାଳି ଏ ପ୍ରଣୟ-ଯାଗ

ଶୁଣି ଯଦି ଆସ ଦିନେ ତେଜି ସିଂହାସନ

ତହିଁରେ ହୋଇବ ମୋର ବ୍ରତ ଉଦ୍‍ଯାପନ ।

☆☆☆

 

ଭଗିନୀ

 

ଜନନୀର ଜନ୍ମାନ୍ତର ଅପା ତୋ ଚରଣେ

ଦୁହିଁଙ୍କର ଶିର ଲାଗୁ ଜୀବନେ ଜୀବନେ ।

ଏ ଜନ୍ମେ ତୋ ଲାଗି ତ୍ୟକ୍ତ ଅଶ୍ରୁ ଦୁହିଁଙ୍କର

ଅଶ୍ରୁହୀନ କରୁ ଅପା ତୋର ଜନ୍ମାନ୍ତର ।

ଜୀବନେ ଜୀବନେ ଦୁହେଁ ତୋର ନେତ୍ର ତଳେ

ତୋହର ଚରଣ-ପ୍ରାନ୍ତେ ଏକ ଶୟନରେ

ତୋହରି ସନ୍ତତି ସମ, ଲଭୁ ଲୋ ଆଶ୍ରୟ

ସ୍ରଷ୍ଟାପଦେ ସେହି ମୋର ଯାଚିତ-ବିଷୟ ।

ତୋ ଲାଗି ବିଦେଶ ଭୂମେ ଯେବେ ଅଶ୍ରୁ ଢାଳି

ତୋ କଥା ଭାବିଛି ବସି ଏ ବକ୍ଷ ପଖାଳି,

ସେ ଆନନ୍ଦ, ଆତ୍ମାର ସେ ଦିବ୍ୟ ଅନୁଭବ

ସକଳ ସୁଖରେ କରିଅଛି ପରାଭବ ।

କେତେ ଲାଗି ଢାଳିଅଛି କେତେ ତ ଲୋତକ

ତୋ ଲାଗି ଯେ ଅଶ୍ରୁ ତାହା ପବିତ୍ର ଉଦକ ।

☆☆☆

 

ସତ୍ୟ-ସୁଖ

 

ସୀମାହୀନ ମହାକାଳ, ସୃଷ୍ଟି ସୁବିପୁଳ

କୋଟି କୋଟି ଗ୍ରହତାରା ଯହୁଁ ନିତ୍ୟ ଠୁଳ,

ତହିଁ ସଖି ଆମ୍ଭର ଏ ଦୁଇଟି ଜୀବନ

ଦୁଇ ବିନ୍ଦୁ ରେଣୁ ସମ । ନିଦ୍ରିତ–ସ୍ଵପନ

ସମାନ ଜୀବନ-ଲୀଳା ଏ ଧରଣୀ ପରେ,

ବୁଦ୍‍ବୁଦ ସମାନ, ମହା-ସୃଷ୍ଟି-ସମୁଦ୍ରରେ ।

କେଉଁ ଅହଂକାରେ ହୋଇ ଅଣୁଁ ଅଣୁତର,

କହ, କାଳତୀରେ ସ୍ଥିର ମନ୍ଦିର ଯଶର

ତୋଳିବାକୁ ଯିବା ସଖି ? ମିଥ୍ୟା ସେ ବାସନା,

ମିଥ୍ୟା ଏହି ଜଗତର ଗୌରବ ଗଣନା

ମିଥ୍ୟା ଏଥି ଧନ, ମାନ । ମିଥ୍ୟା ତେଜି ସଖି

ଦୁହେଁ ଆସ ନେତ୍ରକୋଣେ ନେତ୍ରକୋଣ ରଖି,

ଯୁକ୍ତ କରି ଦୁଇ ଆତ୍ମା ନୀରବ ମିଳନେ

ଏକମାତ୍ର ସତ୍ୟ–ସୁଖ ଭୁଞ୍ଜିବା ଭୁବନେ ।

☆☆☆

 

 

 

 

 

 

 

 

 

 

 

 

 

 

ଶେଷଗୁଚ୍ଛ

 

ଦୂରେ ରହ

 

ଦୂରେ ରହ ଦୂରେ ରହ

ସନ୍ନିଧି ତବ ହେ ପ୍ରିୟ କିଶୋରି

ହୋଇ ଉଠେ ଦୁର୍ବହ ।

ତବ ଯୌବନେ ଜୁଆର ଆସିଛି

ରୂପର ଊର୍ମିଧରି

ଲୋମେ ଲୋମେ ତବ ସୁଷମା ଜାଗଇ

ଚେତନା ଉଠଇ ଥରି ।

ମଦ୍ୟ ଝରଇ ଅଧରରୁ ଅହରହ

ଦୂରେ ରହ, ଦୂରେ ରହ ।

ଶରୀର ଗନ୍ଧେ ସୁରା ଅଛି ଲାଗି

ପାଗଳ କରାଏ ମତେ

ନୟନ ଟାଣୁଛି ବଡ଼ଶୀ ପରିଗୋ

ନିତ୍ୟ ତୁମରି ପଥେ

କେ ଜାଣେ କି ହେବ ଭାବି ଲାଗେ ମତେ ଭୟ

ଦୂରେ ରହ, ଦୂରେ ରହ ।

ରୂପସି, ତୁମର ରୂପ-ସାଗରରେ

ଦେବି ଯଦି ଅବଗାହ

କହି କି ପାରିବ ଶେଷ ହେବ ମୋର

ଜୀବନର ସବୁ ଦାହ ?

ପରିଣାମ ଯେଣୁ ନାହିଁ ପାରେ କରି ଥୟ ।

ଦୂରେ ରହ, ଦୂରେ ରହ ।

ତଥାପି ରୂପସୀ କିଶୋରି ତୁମର

ଉଚ୍ଛଳ ଯୌବନେ

ଏକ ଗଣ୍ଡୂଷେ ପାନ କରିବାର

ବାସନା ଜାଗଇ ମନେ

ରୂପ ତବ ସଖି, ବଡ଼ ହିଁ ତୀବ୍ର

ବଡ ହିଁ ଦୁର୍ବିସହ

ଦୂରେ ରହ, ଦୂରେ ରହ ।

ହାୟରେ ଭୟାଳୁ ନିଜରେ ପଚାର

ଦୁରେ ସେ ରହିବ କାହିଁ

ଅନ୍ତରେ ଯାର ନିବାସ ତାର ତ

ଦୂର ବା ନିକଟ ନାହିଁ ।

ତେଣୁ ସେ କିଶୋରୀ ମରମରେ ରହି

ମାରୁଅଛି ଅହରହ

ବିଫଳ କହିବା ସିନା ତାକୁ ସତେ

‘ଦୂରେ ରହ, ଦୂରେ ରହ ।

☆☆☆

 

ଭଲପାଅ

 

ଭଲ ପାଅ ? ଭଲ ପାଅ ?

କେତେ ପଚାରିଲି, ତେବେ ବରବଧୂ

କିପାଇଁ ମଉନ ଥାଅ ?

ଭୁବନ ବୁଲି ମୁଁ ତୁମ ପାଶେ ବସେ ଆସି

କହିବି ତୁମରେ ଏ ପରାଣେ–କଥାରାଶି

ସେ ସକଳ କଥା ଗୋଟିଏ କଥାରେ ସରେ

ପଚାରି ବସିଲେ କଣ୍ଠ ମୋ ଶୁଖେ,

ନିଖିଳ ମୋ ହିୟା ଥରେ;

ଏକ ସେ ପ୍ରଶ୍ନ—ଭଲ ପାଅ, ଭଲ ପାଅ ?

ବର ବଧୂ ତୁମେ ନିଷ୍ଣୁର ଏଡ଼େ

କିପାଇଁ ମଉନ ଥାଅ ?

ନାହିଁ କର ଯଦି ମୃତ୍ୟୁ ଖୋଜିବି ସଖି

ନୀଡ଼ ତେଜି ନଭେ ଉଡ଼ିବ ପାଗଳ ପଖୀ

ଜୀବନ-ପାତ୍ରୁ କ୍ଷଣକେ ଶୁଖିବ ରସ

ଚିରକାଳ ପାଇଁ କ୍ଷୁଦ୍ର କରିବ

ମତେ ଏହି ଅପଯଶ,

ଜାଣିକି ଏସବୁ ମଉନ ତୁମେ ହେ ଥାଅ,

ବରବଧୂ ଏତେ ପଚାରୁଁ, ପୂଜାରୀ

ଭଲ ପାଅ ? ଭଲ ପାଅ ?

ପୁରୁଷ ମୁଁ ସଖି ସମରରୁ ଆସେ ଫେରି

ଜୟ-ଗୌରବେ ବଜାଇ ବିଜୟ-ଭେରି

ଦେଖିବି ବୋଲି ସେ କଜଳ–ଆଖିରେ ସୁଖ

ମୋ ଗରବେ କ୍ଷଣେ ପୂରି ଉଠିବାର

ସେ ଛୋଟ କନକ ମୁଖ

ସେ ମୁଖ ଦେଖିଲେ ଏ ବୁକେ ଲିଭଇ ଦାହ;

ତେଣୁ ମୁଁ ପଚାରେ ଏତେ ବରବଧୂ

ଭଲ ପାଅ ? ଭଲ ପାଅ ?

ଯହିଁ ଯାଏ ମୁହିଁ ସେ ମୁଖ ପଡ଼ଇ ମନେ

ସେ ଆଖି-ଯୁଗଳ ଜଳୁଥାଇ ପ୍ରତିକ୍ଷଣେ

ଭାବୁ ଥାଇ ଖାଲି କୁଟୀରେ ଆସିଲି ଛାଡ଼ି

ଯାହାରେ, ସେ କି ମୋ’ ଜୟ ଶୁଣିବାକୁ

ରହିଅଛି କାନ ପାରି ?

ତୁମ ଲାଗି ଖାଲି, ତୁମ ଲାଗି ଅବଗାହ

ଜଗତ-ଯୁଦ୍ଧେ; ତେଣୁ ମୁଁ ପଚାରେ

ଭଲ ପାଅ ? ଭଲ ପାଅ ?

ବୁଝି ପାରୁ ନାହିଁ ପୂଜାରୀର ଆରାଧନା

କାହିଁକି ହେ ଦେବି ? ପଡ଼ୁ ନାହିଁ କି ହେ ଜଣା,

ଉଷ୍ଣତା ମୋର ପ୍ରଣୟର, ବରବଧୂ ?

ଅଯାଚିତେ ତେଣୁ ଢାଳି ପାରୁ ନାହଁ

ପରାଣୁ ପ୍ରଣୟ-ମଧୁ ?

ତେଣୁ କି ମଉନେ ଥାଅ ?

ଯେତେ ପଚାରିଲେ ପ୍ରସ୍ତରମୟି,

ଭଲ ପାଅ ? ଭଲ ପାଅ ?

ହେ ପାଷାଣି ତୁମେ ଦେଖି କି ପାରୁଛ ହିୟା,

ଜାଣି କି ପାରୁଛ ପରାଣେ ଜଳେ କି ନିଆଁ ?

ପୁରୁଷ ରକ୍ତ ତରଳ ଅଗ୍ନି ପରି

ଜାଳିଦିଏ ମତେ; ବୈଶାଖ ବନେ

କାନନ ଅଗ୍ନୀ ସରି ।

 

ପ୍ରଣୟର ବାରିବାହ

ଅଜାଡ଼ି ଶାନ୍ତ କରିବାକୁ ସଖି

ପଚାରଇ ‘ଭଲ ପାଅ’ ?

ତୋଳ ଗୋ ଓଢ଼ଣା, ଅନାଅ ନୟନେ ମୋର

ଗଣ୍ଡେ ମୋ ଲାଗୁ ତୁମର କର୍ଣ୍ଣ-ଦୋଳ ।

ପ୍ରେମ କର ସଖି, କର ପୁଣି ଅଭିମାନ

ହିୟାର ଗୋପନ କଥା ଶୁଣିବାକୁ

କର ମୋତେ ଆହ୍ଵାନ ।

ତେବେ ସିନା ଲିଭେ ଦାହ

କଥା କହ ଏବେ କଥା କହ ସଖି

ପଚାରିଲେ ‘ଭଲ ପାଅ’ ?

☆☆☆

 

ଶଙ୍କିତ ସ୍ନେହ

 

ଚାରୁ-କେଶୀ ସେଇ ବାଳିକାର ପ୍ରେମ ପାଇଁ

ଏ ଜୀବନେ ମୋର ନ ଦେବାର କିଛି ନାହିଁ ।

ମୋର ସୁଖ ଦେବି ତା’ର ସୁଖ ପାଇଁ ବଳି

ପଦଧୂଳି ତାର ଝାଡ଼ିଦେବି କରେ ଧରି ।

ସେ ଯଦି କହିବ ‘ଯାଅ ତୁମେ ମୋର ପାଖୁ’

ଚାଲିଯିବି ଦୂରେ ତାକୁ ସୁଖୀ କରିବାକୁ ।

ସେ ଯଦି କହିବ ‘ଛାଡ଼ ନାହିଁ ଯିବ ମତେ’

ଏ ଆଖି ରହିବ ଲାଖି ତା’ର ଭଲପଟେ ।

ସେ ଯଦି କହିବ ‘ଏତେ ସେବା କାହିଁ ପାଇଁ’

ମୁଁ କହିବି ‘ରାଣି, ଏଥୁ ବଳି ସୁଖ ନାହିଁ’ !

ଏ ନୟନ-ନୀରେ ଆର୍ଦ୍ର ପ୍ରଣୟ ମମ

ଢାଳିଦେବି ପଦେ ପୂଜାର ପୁଷ୍ପ ସମ ।

ମାନ-ଗୌରବ ଯାହା କିଛି ଅଛି ମୋର

ଢାଳି ଦେବି କହି, “ରାଣି ଗୋ ଏସବୁ ତୋର’ ।

ସବୁ ଦେବି ତାରେ । ଥରେ ଥରେ ଭାବେ ଖାଲି

ଏ ଜୀବନ ଯାର ଚରଣେ ମୁଁ ଦେବି ଢାଳି

ସେ ଯଦି ଖାତିର କରେନା ଏ ମୋର ଦାନ

କିପରି ସେଦିନ ଲୁଚାଇବି ଅପମାନ ?

☆☆☆

 

ଜ୍ୟୋତ୍ସ୍ନା-ଭୋଗ

 

ଶିତଳ ଜୋଛନା ସଖି ବ୍ୟାପିଛି ଭୁବନ

ଧରଣୀରେ ଦେଇଛି କେ ସ୍ଵପ୍ନ ଆବରଣ,

ଛାଡ଼ି, ବଞ୍ଚିବା-ଜଂଜାଳ,

ଆସ ଗାଢ଼େ ଭୋଗିବା ଏ ଅତିନ୍ଦ୍ରୀୟ କାଳ

ନୂତନ ବସନ୍ତ ଆସି ଧରଣୀ ଦୁଆରେ

ପ୍ରଚାରଇ ଅଭିଯାନ ମଳୟ ପ୍ରସାରେ !

ସେହି, ଦକ୍ଷିଣା ପରଶେ,

ଜଡ଼ ଚିତ୍ତ ତେଜି ଉଠେ ଯଉବନ-ରସେ ।

ନାହିଁ ସୁଖ ଏକା ଏକା ଭେଟି ଆନନ୍ଦରେ,

ଆସ ସଖି ଧୀରେ ମିଶ ପଛୁ ମୋ ସ୍କନ୍ଧରେ ।

ତବ ବଦନ ସୁଗନ୍ଧ,

ଉଚ୍ଚାଟରେ କରୁ ମୋର ବାସନା ବିବ୍ରନ୍ଧ ।

ଧରଣୀରେ ଜୋଛନାର ନିବିଡ଼ ଆବେଶ

ଏକାକୀର ଚିତ୍ତ ଆସେ ଶୂନ୍ୟତା ବିଶେଷ,

ଏକ, ଦୁଇ ଖୋଜୁଥାଇ

ଦୁଇ ପ୍ରାଣ ଆନେ ଆନେ ଟାଣି ହୋଇଯାଇ ।

ବାରବାର ଚାନ୍ଦିନୀର ମୁକତ ସଭାରେ

ସଖିରେ ତୋହର ଲଜ୍ଜାମୌନ ଅଙ୍ଗୀକାରେ,

ଧୀରେ, ଫେଇ ଆବରଣ

କରିଅଛି ତୋ ରୂପର ବନ୍ଧନ ମୋଚନ ।

ଚନ୍ଦ୍ରିକା ଚିତ୍ରଣେ ଯେଉଁ ବର ତୂଳୀଧର

ସ୍ଵପ୍ନପୁରୀ କରେ ରୁକ୍ଷ ଧରା କଳେବର;

ତବ, ମୁକ୍ତ ଦେହ ଶୀରି

ନୁହେଁ କି ସେ ଚିତ୍ରକ’ର ନୀରାଜନା ପରି ?

ସ୍ଵର୍ଣ୍ଣଶସ୍ୟ ଭାରେ ନତ ଧାନ୍ୟଲତା ସମା

ମୁକ୍ତବେଣା ହୋଇ ଉଭାହେଲେରେ ଉତ୍ତମା,

ମୁଗ୍‍ଧ, ଏ ରୂପ–ପୂଜାରୀ

ଚୁମ୍ବିଯାଏ, ଆନ ପୂଜା ଜାଣି ନାହିଁ ପାରି ।

ଚୁମ୍ବେ ଚକ୍ଷୁ, ଚୁମ୍ବେ ଓଷ୍ଠ, ଚୁମ୍ବଇ କପୋଳ,

ଚୁମ୍ବେ କଣ୍ଠ, ବାହୁ, ଉର କୁସୁମ ଯୁଗଳ,

ଚୁମ୍ବେ, କୁଞ୍ଚିତ କୁନ୍ତଳ

କେ କିସ କହିବ ? ନର, ଦାସ ତ ରୂପର ?

ଲତା ସମ ନିଜ ଦେହ ଜଡ଼ାଇ ମୋ ଠାରେ,

ତମେ ଶାନ୍ତ କର ତୀବ୍ର ପ୍ରାଣ-ପିପାସାରେ,

ସେହି, ମିଳନ ପ୍ରକାଶ

ଦେଖିଛନ୍ତି ଖାଲି ଏହି ଚନ୍ଦ୍ରିକା, ଆକାଶ ।

ଆଜି ପୁଣି ସେ ଚନ୍ଦ୍ରିକା ଆସିଛି ଭୁବନେ

ପୁଣି ଗୋ ପିୟାସୀ ମୁହିଁ ନିବିଡ଼ ମିଳନେ,

ପାଦେ, ଜୀଇଁବା ଜଂଜାଳ,

ଠେଲି ଦେଇ, ଆସ କ୍ଷଣେ ଭୋଗିବା ଏକାଳ ।

☆☆☆

 

ବିରହୀ-ଗାଥା

 

-୧-

ବିରହ-ବିଧୁରେ ମନ ମନ୍ଦିରେ

ତୁମରି ଚରଣ-ପାତହିଁ ଶୁଣେ,

ଚିତ୍ତ ନିଖିଳ ବିରହ-ଅଥିର

ଭବିଷ-ମିଳନ-ମାଧୁରୀ ଗୁଣେ ।

ଧାଏଁ ମନୋରଥ ସଖି ଅବିରତ

ତୁମରି, କକ୍ଷ-ଗବାକ୍ଷରେ,

ଦେଖିବାକୁ, ତୁମେ ପ୍ରିୟ ଲାଗି ଭୂମେ

ତୁମେ ଅଛ ସେ ଶାୟିତା ବିଚ୍ଛେଦରେ ।

ଦୂରୁ ମନୋରଥ ଇଚ୍ଛେ ପଣତ

ତୋଳି, ତୋଳି ନେବ କାନ୍ତ ତନୁ,

ଅଶ୍ରୁ ପୋଛିବ ଉଚ୍ଚାରି ଶିବ,

ଆଣିବ ସାଉଁଳି ସେ ଭୂରୁ-ଧନୁ ।

ତନୁ ତନୁଲତା ହୃଦୟେ ଶାୟିତା

କରି କାନେ ଦେବା ସାନ୍ତ୍ୱନା

ମୁଖ ଆଘ୍ରାଣି, ଧରି ଧୀରେ ପାଣି

କହିବ ‘ଅଶ୍ରୁ ମୁର୍ଚ୍ଛନା’ ।

କି କରୁଅଛ ଅୟି, ଅନ୍ତର ଦହି

ତୀକ୍ଷ୍‍ଣ କଠୋର ବିରହ- ବାଣେ,

ତୁମର ଚିତ୍ତ, ବିଦ୍ଧ, ବ୍ୟଥିତ

ମୋର ଏ ପ୍ରାଣର ବ୍ୟଥା କି ଜାଣେ ?

-୨-

ଭୁବନ ପାନ୍ଥଶାଳାରେ ଯେତେକ

ରୁଣ୍ଡ ପାନ୍ଥ ଯାତ୍ରା ପାଇଁ

ମୋ ପରି ଦୁଃସ୍ଥ, ଅକିଞ୍ଚନ, ବା

ମୂଲ୍ୟବିହୀନ କେହି ତ ନାହିଁ ॥

ନୟନ ଆଗେ ଯେ ଭାଗ୍ୟବନ୍ତ

ଯାଆଁତି ସକଳ ଯାତ୍ରୀ ପଥେ

ମିଶିବି କିପରି ସାଥିରେ ତାଙ୍କ,

ନିଜର ଦୈନ୍ୟ ଖାଏ ଯେ ମତେ ।

ସରମ ଭରେ ମୁଁ ତେଣୁ ଏ ଭୁବନେ

ନ ପାରେ କାହାଠି ଚିତ୍ତ ଖୋଲି

ମରମେ ମୋର ସେ ପ୍ରଣୟ ତୋହର,

କାହାକୁ ଏ କଥା ଲାଜରେ ବୋଲି ?

ପାଥେୟ ବା ଆଉ କି ଅଛି ଗୋ କହ,

ତଥାପି ମୋର ଏ ଜୀବନ-ପଥେ

ତୋହର ପ୍ରଣୟ ପରମ ସିନା ଗୋ

ଜଗତେ ମଣିଷ କରିଛି ମତେ !

ପରାଣ ଭିତର ଅନ୍ଧକାରରେ

ମାଣିକ ସମାନ ଜଳଇ ତାହା

ଦୁରଦିନ ଘୋର ତମସା ପଥରେ

ଦେଖାଇ ଦେବ ସେ ମତେ ଗୋ ରାହା ।

-୩-

ଅନେକ ବେଳେ ଗୋ ଭାଳଇ ସଜନି,

ଏଇ ଜନମରେ ହେଲା କି ଦେଖା

ଏକ ଜନମର ଚିହ୍ନା-ଚିହ୍ନି

କାଟିଲା କି ଏଡ଼େ ଗଭୀର ଲେଖା ?

ଅପରିଚିତ କି ଥିଲେ ଆଗୋ ଆମେ,

ଏଇ ଜନମର ପୂର୍ବ ପାରେ

କୁନ୍ତଳ ତବ ସଜାଉଥିଲ କି

ଆରେକ କାହାର ପୁଷ୍ପମାଳେ ?

ଜୋଛନା ରାତିରେ ଜଡ଼ିତ ଚରଣେ

ଆଉ କେ ତମର ଶୟନ-ଧାରେ

ପରଶୁ ଥିଲା କେ ତୋଳି ଧରିବାକୁ

ହଲାଇ କୋମଳେ ବକ୍ଷହାରେ ?

ଚରଣତଟରେ ଲଗାଉଥିଲା କି

ଅଲକ୍ତ ଆନ ଅଙ୍ଗୁଳି,

ଆଉ ତାର ଓଠ ଶୁଣାଉଥିଲା କି

ଶ୍ରବଣ କୁହରେ ଗୁଞ୍ଜରି ?

ନାହିଁ ନାହିଁ ! ମିଛ ! ବକ୍ଷେ ଜାଳଇ

ବହ୍ନି ସେସବୁ କଳ୍ପନା

ତୁମେଇ ମୋହର ସଖି ସନାତନୀ

ଜନମେ ଜନମେ ସାନ୍ତ୍ୱନା ।

-୪-

ଗଣନା ଅତୀତ ସୂର୍ଯ୍ୟ, ତାରକା

ନକ୍ଷତ୍ରର ସୃଷ୍ଟି ଲୟେ

ତୁମେ ଅବା ମୁହିଁ କେଉଁଠି ଥିଲେ ଗୋ

ଏ ଜୀବନ ଧରି ନିତ୍ୟ କ୍ଷୟେ ।

ସୃଜନ ବାସନେ ଥିଲେ କି ଆମେ ଗୋ,

ସୃଷ୍ଟିକାରୀ ସେ ବିଷ୍ଣୁର

ନିହାରିକା କୋଟି ବିନ୍ଦୁ ମେଳରେ

ଯୋଡ଼ିଏ, ପ୍ରଣୟ ସଂକୁଳ ?

ତାପରେ ସକଳ ସୃଜନଧାରାରେ

ଥିଲେ ଦୁଇଟି ବିନ୍ଦୁ ହୋଇ,

ସକଳ ରୂପର ଭୋଗିଣ ମରମ,

ସକଳ ଜନମେ ଯୁଗ୍ମ ରହି ?

ଆୟୁତ ଅୟୁତ ଜନମ ବିତାଇ,

ପୁଣି ଗୋ ପୁରୁଣା ଧରଣୀ ତଳେ

ଜନମ କି ଆମେ ଯୁଗଳ ପରାଣ

ମାନବ ଶରୀରେ ମାନବ ଘରେ ?

ଅଭିଯାନ ଏହି ଯୁଗ୍ମ ପ୍ରାଣର

ବିପୁଳ କାଳର କକ୍ଷେ କକ୍ଷେ,

ବୋଲି ପାରିବ କି ସଙ୍ଗିନୀ ମୋର,

କେଉଁ ସେ ନିଗୁଢ଼ ଗୁପ୍ତ ଲକ୍ଷେ ?

-୫-

ଅୟୁତ ନିୟୁତ ଜନମ ଶେଷରେ

ଆଉ ଥରେ ପୁଣି ମାନବ-ଦେହେ,

ନିହାରିକାର ସେ ଯୁଗ୍ମ ବିନ୍ଦୁ

ମିଳନ ଖୋଜଇ ନିବିଡ଼ ସ୍ନେହେ ।

ତେଣୁ କି ତୀବ୍ର ମିଳନ-ଆଶା,

ନିତ୍ୟ ଉଠଇ ବାରମ୍ବାର,

ତେଣୁ କି ତୁମର କାନ୍ତ ଦେହେ

ବାସନା ମୋ ତନୁ ମିଶାଇବାର ?

ତେଣୁ କି ଆଜି ଏ ବିଚ୍ଛେଦରେ

ହୃଦୟ ମୋ ଚାହେଁ ବାହାରିଯିବ,

ଭଗ୍ନକରି ଏ ଶରୀର-ବନ୍ଧ

ଯେଉଁଠି ତାହାର ସଙ୍ଗୀ ଥିବ ?

-୬-

ମରଣ-କପାଟ ପଡ଼ିବ ଯେବେ ଗୋ

ଏ ଜନମର ସରଣୀ ଶେଷେ,

ନୂତନ ପଥରେ ଯାତ୍ରା କି ହେବ

ପୁଣି ଗୋ ନୂତନ ଯୁଗଳ ବେଶେ ?

ତାରାରେ ତାରାରେ ଯିବା କି ମିଶି ଗୋ

ବିପୁଳ ବ୍ୟୋମର ପଙ୍ଗତେ

ଭ୍ରମିବା ଯୁଗଳ ଜ୍ୟୋତିର୍ମନ୍ତ

ଅଗଣ ତାରକା ସଙ୍ଗତେ ।

ଅଥବା ସଜନୀ, ଫେରି ବା ଆସିବା

ଅନ୍ୟ ବେଶେ ଏ ଧରଣୀ ପରେ,

ଅନ୍ୟ ଦେଶରେ ଅନ୍ୟ ଜାତିର

ଆଦର-ତପ୍ତ କୁଟୀର ତଳେ ?

ଅଥବା ହେବାରେ ପୁଳିନେ କାହିଁବା,

ପ୍ରଣୟ-ବିଧୂର ଚକ୍ରବାକ

ମଧୁର-ଦୁଃଖ ଭେଟିବା ଶୁଣି ସେ

ପରସ୍ପରର ବିରହ-ଡାକ ?

ଯହିଁବା ଯାଏ ମୁଁ ଯେଉଁଠି ଥାଏ ବା,

ନିର୍ଦ୍ଦେଶ ବଳେ ସ୍ରଷ୍ଟାର

ତୁମେ ନକି ମୋ ପାଶରେ ଥିବ ଗୋ

ଶୁଣାଇ ରସନା ଝଙ୍କାର ?

ମୂର୍ଖ ସବୁରେ ମୁକ୍ତି ମାଗଇ

ସ୍ୱର୍ଗ ମାଗଇ ଚିରନ୍ତନ ଗୋ

ତୁମେଇ ଜୀବନ ସଙ୍ଗ-ଚରୀ ।

ତୁମରି ବାହୁର ମୃଣାଳ-ଲତିକା

ଥିଲେ ଛନ୍ଦିତ ଏ ମୋର ଗଳେ

ଅକୁଣ୍ଠିତରେ ଚଳିବି ଗୋ ମୁହିଁ

ଜାହାନ୍ନାମରେ ଗଭୀର ତଳେ ।

☆☆☆

 

ବିରହ-ପ୍ରଦୀପ

 

କେ ଜାଳିବ ସଂଧ୍ୟା ଦୀପ ଆଜି,

ଅନ୍ଧାର ଯେ ରହିଲା କୁଟୀର,

ମନ୍ଦିରର ଦେବୀ ଗଲେ କାହିଁ,

ଚାରିଆଡ଼ ନୀରବ ଗଭୀର ।

ବାହାର ଭିତର ଚାରିଆଡ଼େ

ଅନ୍ଧକାର ବ୍ୟାପିଛି ପରାଣେ,

ପ୍ରଦୀପ ଆଣିଲେ ଆନ କେହି

ସେ ଆଲୋକେ ପରାଣ ନ ମାନେ ।

ଆଖି ଖୋଜେ ସେହି ପରିଚିତ

ନର୍ମଦାୟୀ କମନୀୟ କରେ

ଜଳିବାର ସ୍ଵର୍ଣ୍ଣଦୀପ ଶିଖା

ଝାପସାଇ କୃଷ୍ଣ ନୟନରେ ।

ସେ ଯେ ନାହିଁ ସେ ଯେ ନାହିଁ ଆଜି

ଆଲୋକ ତ ହରାଇଛି ଜ୍ୟୋତି

ଶାମୁକା ମାଟିରେ ଅଛି ପଡ଼ି

ନେଇତ ଯାଇଛି କିଏ ମୋତି ।

ତେବେ କିପାଁ ବୃଥା ଏ ଆଲୋକ

ଅନ୍ଧକାର ରହୁ ଏ କୁଟୀର

ସ୍ମରଣର ପ୍ରଦୀପ ଲଗାଇ,

ଆଲୋକିବି ଆତ୍ମା ବୀରହିର ।

☆☆☆

 

ଶ୍ରାବଣ-ଅଭିସାର

 

ପ୍ରଳୟିତ ଘନ-ଘୋର ଶିରାବଣ ନିଶୀଥ

ଅ-ସର ଆସାରେ ପୁର, ବିଲ, ବନ ବ୍ୟଥିତ;

ଅଣଚାଶ ବହେ ଘୋର ବତାସି

ଆକାଶରେ ନାହିଁ ତାରା, କାଳିମା-ବିକଟ ଧରା,

ଝଡ଼େ ଜୀବ ହୋଇ ଉଠେ ହତାଶୀ ।

କଳକଳ, ଛଳଛଳ ବରଷାର ସଲିଳ

ବହିଯାଏ ଧାରେ ଧାରେ ଖାଇ ପଥ ଗଭୀର,

ତାଳ ଗଛ ଦୋଳେ ଝଡ଼ ପବନେ

ଚାରିଆଡ଼େ ସାଇଁ ସାଇଁ ଜନପ୍ରାଣୀ କେହି ନାହିଁ

ଦୁଆର ଆଉଜା ପ୍ରତି ଭବନେ ।

ବୁଜା ବାତାୟନ ଥରେ ବସିର ଦମକେ,

ବିଜୁଳି ଝଲକେ ଜାଗରିତ ବୁକୁ ଚମକେ,

ଯୁଝେ ରତ ଆକାଶର ଦାନବେ

ଘଡ଼ଘଡ଼ି ଚଡ଼ଚଡ଼ି ଘଡ଼ିକେ ଘଡ଼ିକେ ରଡ଼ି

ପୂରଇ ଭୁବନ ଘୋର ଆରବେ ।

ମନ ନାହିଁ ଲାଗେ ମୋର ଘରେ ରଜନୀରେ ଗୋ

ଜୁଆର ଉଠଇ ହୃଦ-ଯମୁନାର ନୀରେ ଗୋ

ତୀର ଡେଇଁ ଯିବ ବହି କୁଆଡ଼େ

ଦୁଆର ଖୋଲ ହେ ଖୋଲ ଶ୍ରାବଣର ଘନ ରୋଳ

ମିଶୁ ଆସି ମୋ ହୃଦୟ-ଜୁଆରେ ।

ଲାଗଇ ଯେପରି କିଏ ଖୋଜେ ମତେ ପରାରେ

ପ୍ରାଣର ପୀଡ଼ାରେ ବାହାରିଛି ଏହି ଅକାଳେ

ହୃଦୟ ମୋହର ତେଣୁ ଉଥଳ

ମନ ନାହିଁ ଘରେ ଧରେ ମୁକତ ଆକାଶ ତଳେ

ବତାସିରେ ଖୋଜିବି ସେ ଦୋସର ।

ମଥାରେ ପଡ଼ୁରେ ଧାରା ଆଖେ ବାଜୁ ତୋଫାନ

ଖସଡ଼ୁ ଚରଣ, କାନେ ପଶୁ ମେଘ-ବିଷାଣ,

ପାଗଳ ପରି ମୁଁ ତାକୁ ଖୋଜିବି,

ଖୋଜିବାକୁ ଚରାଚର ମେଲାଇ ମୁଁ ଦୁଇ କର

ଶ୍ରାବଣ ବତାସି ଦେହେ ହଜିବି ।

ପାଏ ବା ନ ପାଏ ତାକୁ ନାହିଁତ ଶୋଚନା

ଏ ଘୋର ନିଶୀଥେ ଖାଇ ଅଭିସାର ରଚନା

କରିବି ମୁଁ ପ୍ରିୟଜନ ପାଇଁରେ,

ପ୍ରାଣେ ମମ ବ୍ୟାକୁଳତା କହିବାକୁ ପ୍ରାଣବ୍ୟଥା

ବରଷା ବିଜୁଳି–ଘୋର ଭୂଇଁରେ ।

ବାଧା ଡେଇଁ ଅଭିସାର, ପୀରତୀର ବିଳାସ

ପାଇବାଠୁଁ ଖୋଜିବାରେ ପ୍ରଣୟର ପ୍ରକାଶ,

ତେଣୁ ଏ ବତାସି-ଘୋର ନିଶିଥେ

ଘର ଛାଡ଼ି ପଥେ ବନେ ଖୋଜିବାକୁ ପ୍ରିୟଜନେ

ହୃଦୟ ପୂରଇ ଘୋର ବ୍ୟଥିତେ ।

ଜୀବନେ ଜୀବନେ ମମ ନାହିଁ ଆନ ଯାଚନା

ଧନେ, ମାନେ, ନୋହୁ ମୋର ସୁଖନୀଡ଼ ରଚନା

ପ୍ରାଣ ଚାହେ ଏହି ପରି ବତାସେ

ବରଷା ବିଜୁଳି ସହି, ଯିବି ନିଶାପଥ ଧାଇଁ

କର ମେଲି ପ୍ରିୟଜନ ସକାଶେ ।

ପାଖ ଛାଡ଼ି ତୁ ରେ ସଖି ଯାଅ ଚାଲି ବାହାରେ

ପୋଡ଼ିହୁଅ ଯାଇ ଘୋର ବିରହର ଦାହାରେ

ଆନ ଆନେ ଏ ନିଶୀଥେ ଖୋଜିବା

ଲୁହ ମିଶୁ ବରଷାରେ, ଅଦମିତ ତୁରୁଷାରେ

ଅଭିସାର ସୁଖେ ଆଜି ମଜିବା !

ଜୀବନେ ଜୀବନେ ସଖି ଏସନ ରଜନୀରେ,

ଆସିବୁ ତୁ ଧୋଇ ମେଘନୀରେ ତୋର ବେଣୀରେ

ଆତ୍ମାରେ ଓଦାଇ ଦେହ ବସନ,

ପ୍ରଣୟ ଯମୁନାକୂଳେ ଧାଇଁଥିବି ମୁଁ ବ୍ୟାକୁଳେ

ସଫଳିବ ଦିହିଁଙ୍କର ସପନ ॥

ଦୁଇ ଟୋପା ଲୁହ ସମ ଜନମ ଜନମରେ

ବିରହ ବ୍ୟଥିତ ହୋଇ ପ୍ରଣୟ-ସରମରେ

ବାହାରିବା ଏହିପରି ତୋଫାନେ

ଯୁଗ ଯୁଗ ଯିବ ସରି ଖାଲି ଅଭିସାର କରି

ଜୀବନ ଜୀବନ ପ୍ରତି ସୋପାନେ ।

☆☆☆

 

ମିଳନ-ମାଧୁରୀ

 

କିଶୋରୀ ଗୋ ତୁମ ବକ୍ଷ-କମଳ

ମୋ ହୃଦ-କମଳ ପରେ

ରଖିଲ ଯା,—ଟିକେ ରହ ଥିର ହୋଇ,

ଅନୁଭବ ତାହା କରେ ।

ପୁଲକିତ ଦେହ, ପୁଲକିତ ମନ

ଆଲୋକିତ ଅନ୍ତର,

କ୍ଷୁବ୍‍ଧ-ଶୋଣିତ, ଅଙ୍ଗେ ଅଙ୍ଗେ

ଆନନ୍ଦେ ଥର ଥର ।

କ୍ଷୁଦ୍ର ଜୀବନ ମହା ଜୀବନରେ

ଧୀରେ ଧୀରେ ଧୀରେ ମିଶେ

ଭାସି ଯାଏ ଆମ ମିଳନ-ମାଧୁରୀ

ସୃଷ୍ଟିର ଦଶ ଦିଶେ ।

ଧରା ଜୀବନର ଜଡ଼ ଅନୁଭବ

ଦେହ ମନୁ ଧୀରେ ତୁଟେ

ହୃଦୟ-ଦଳରୁ ସୌରଭ ସମ

ମହିମ୍ନ-ସ୍ତବ ଫୁଟେ !

‘’ଜୟ ଈଶ୍ଵରି, ପତିତ-ପାବନି,

ଲକ୍ଷ୍ମୀ ଗୋ, ଜୟ ନାରୀ,

ମଙ୍ଗଳକର, ଜାଗ୍ରତ କର

କଲ୍ୟାଣ ତବ ଢାଳି ।

ତୋହର ପ୍ରଣୟ-ଉଷାର ପରଶେ

ମୋର ମନ-ଶତଦଳ

ବିକଶିତ ହେଉ ବସନ୍ତ ସମ

ସୌରଭେ ଟଳମଳ ।

ତୋହର ପାବନ ପୁଣ୍ୟ-ଶିଖାରେ

ନିର୍ମଳ କର ମତେ

 

ଧରି ହାତ ମୋର, ଘେନିଯାଅ ଯହିଁ

ଚିତ୍ତ ତ ଯେଉଁ ପଥେ ।’

☆☆☆

 

ନିତ୍ୟ ସ୍ଵୟମ୍ବର

 

ପ୍ରଥମ ବରମାଳା ଦେଲ ଯା ଗଳେ

ଶେଷ ମୁଁ ଭାବିଥିଲି ତାହାରେ,

ପ୍ରଥମ ଲଘୁଚାପ ଦେଲ ଯା କରେ,

ପ୍ରଥମ ପରଶ ହିୟାରେ ।

ସଖି ଗୋ ଭାବିଥିଲି ଶେଷ ବୋଲି ତା,

ପ୍ରଥମ ସ୍ଵାଦ ନାହିଁ ପାଇବି,

ପ୍ରଣୟ, ଶୁଣିଥିଲି ପ୍ରଥମ-ମିଠା,

ଶେଷେ ବିରାଗେ ଅବଗାହିବି ।

ଭେଟିଲେ ନିରଜନେ ହୁଏନି ଆଉ

ନୟନ ଲୋଳ ମୁଖ ସ-ହସ

ହୁଏନ ପଛୁ-ଚାହାଁ ପାଖରୁ ଯାଉଁ,

ବଢ଼ିଲେ ପରା ପ୍ରୀତି -ବୟସ ?

ପ୍ରଣୟ-ତୁମେ ଆସି ବହୁତ ପଥ

ଲାଗଇ ଏହା ମିଛ ପରି ତ,

ସଖିରେ ଆଦ୍ୟ-ଦାହ ହୋଇଛି ଗତ

ଅବଗାହିକି ପ୍ରୀତି–ସରିତ ?

ପହଣ୍ଡେ ଗଲେ ସେ ଯେ ପଛେ ଅନାଏ

ଅଛି କି ଗଲା ପ୍ରିୟ କୁଆଡ଼େ

ନିତି ତ ଅପେକ୍ଷିକା ପରିରେ ଥାଏ

ମିଳନ ଖୋଜୁଥାଏ ଉହାଡ଼େ ।

ନିତି ତ ଭୁଜମାଳା ବରଣେ ଟେକେ

ପ୍ରଥମ ପରି ଦିଧା-ହୃଦୟେ,

ନୟନ ଲୁହେ ପ୍ରିୟ–ସ୍ଵପନ ଦେଖେ

ଦଳିତ ତାର ହିୟା ବିରହେ ।

ପ୍ରିୟ ବି ନିତି ତାର, ପ୍ରଣୟ ଲାଗି

ପ୍ରଥମ ପରି କରେ ଯାଚନା,

ପ୍ରତ୍ୟହ ସ୍ଵୟଂବରେ ତା’ କର ମାଗି

ଭୁଲଇ ସବୁ ଦୁଃଖ ଲାଞ୍ଛନା ।

ପ୍ରୀତିର ଆଦି ଅଛି ଶେଷ ତ ନାହିଁ

ନିତି ସେ ନୂଆ, ଉଷା ପରି ରେ,

ବଂଧନେ ତହିଁ ଏକା ମୁକତି ପାଇ

ସ୍ଵରଗ-ଅନୁଭୂତି ଶରୀରେ ।

☆☆☆

 

ଅତୃପ୍ତ ଭୋଗ

 

ଦୁଇଟି ନୟନରେ ନ ଆସେ ତୃପ୍ତି

ଲକ୍ଷ ନୟନରେ ଚାହିଁବି

ଗୋଟିଏ ରସନାରେ ନ ପାଏ ମୁକ୍ତି

ବଚନ,—ଆଉ ହେଲେ ଗାଇବି ।

ଦୁଇଟି ଭୁଜେ ଭିଡ଼ି ସାରିଲେ ତାହାରେ,

ମୁଗ୍‍ଧ ଦେହ ଆଉ ଖୋଜଇ

ଅଧର ଯେତେ ପାନ କଲେହେଁ ବିଳସି

ଅଗ୍ନି ପୁଣି ଓଠେ ଜାଗଇ ।

ଗୋଟିଏ ବକ୍ଷରେ ପୀରତି କୁଳାଏନି,

ନିୟୁତ ବକ୍ଷ ମୁଁ ଚାହେ ଯେ

ତାହାରେ ଭାବି, ସବୁ ଭୁଲିବି ଭାଳେଣି,

ମରିବି ତାର ଅବଗାହେ ଯେ ।

ଆଜି ମୁଁ ଚାହେ ତେଣୁ ମତେ ହେ ଦେବତା

ମିଳାଅ ପଞ୍ଚ ଏ ଭୂତରେ

ସୀମାକୁ ତେଜି ମୋର ଅସୀମ ମମତା

ବ୍ୟକ୍ତି ହେବ ବହୁ ରୂପରେ ।

ଜ୍ୟୋସ୍ନା ମଳୟରେ ମିଶି ମୁଁ ପ୍ରିୟାରେ

ଦେବି ମୋ ଆଶ୍ଳେଷ ଅଗଣ ।

ମିଳିଲେ ନୀଳାକାଶେ ତାରାରେ ତାରାରେ

ତୃପ୍ତ ହେବ ଅବଲୋକନ ।

☆☆☆

 

ଯୋଗ୍ୟ ହେବି

ବିକତ କୁସୁମ କର ନାଥ,

ଯୋଗ୍ୟ ହେବି ତା କେଶ ଶୋଭନେ,

ବିଶୁଦ୍ଧ ସୁବର୍ଣ୍ଣ ମତେ କର,

ଲାଗିବି ବା ତା ଦେହ ଭୁଷଣେ ।

ଜୀବନକୁ ଶୌର୍ଯ୍ୟମୟ କର

କାଳେ ତାର ପାଇବି ପ୍ରଶଂସା,

ବିଶୁଦ୍ଧ ପୁରୁଷ କର ମତେ

ତା’ ସଖିତ୍ଵ ପାଇବି, ଭରସା ।

☆☆☆

 

ନବଜନନୀ

 

ହେ ନବ ଜନନୀ,

ସନ୍ତାନ-ଜନକ କରେ

ବିସ୍ମୟିତ ଭକ୍ତିଭରେ

ବନ୍ଦନା ଚରଣେ ନମି ନମି ।

କାଲି ଥିଲ ବିମୁକ୍ତ ହରିଣୀ

ଯୌବନ-ବସନ୍ତ ବନେ

ଧାଇଁବୁଲି ଆନମନେ,

ହୋଇଥିଲ ସ୍ୱପନ-ଚାରିଣୀ !

ଆଜି ଦେଖେ ବ୍ୟସ୍ତ ଜଞ୍ଜାଳରେ,

ଧରାଗତ ନବ ମନୁଷ୍ୟରେ

କଲ୍ୟାଣମୟ ସେ ବକ୍ଷେ

ସ୍ତନ୍ୟ ଦେଇ, ଚାହିଁ ଚକ୍ଷେ

ପରମ କରୁଣ ଭରେ,

ଚୁମ୍ବି, ନବ ବାତ୍ସଲ୍ୟରେ

ହୋଇଅଛି ନବୀନ ଜନନୀ !

ସେହି ସେ କୋମଳ ବକ୍ଷ

ଆଶ୍ରା ମୁହିଁ ଖୋଜିଅଛି ଯହିଁ,

ତହିଁ ପୁଣି ସଂଚୟନ

ଥିଲ କରି ଆୟୋଜନ

ନବାଗତ ଅଭ୍ୟର୍ଥନା ପାଇଁ !

ହେ ନାରୀ ତୁ କାଳେ କାଳେ

ତୋର ସେହି ବକ୍ଷ ସ୍ଥଳେ

ପ୍ରେୟସୀ, ଜନନୀ ବେଶେ

ସ୍ନେହ ଢାଳି ନିର୍ବିଶେଷେ

ମାନବରେ ଆଣିଛୁ ବଢ଼ାଇ !

କାହୁଁ ତୁ ଆଣିଲୁ ଏହି

ନବଜାତ ଜୀବନ ରତନେ ?

ନିଜ ଦେହେ ମାୟାବିନୀ

କେମନ୍ତେ ପ୍ରତୀମା ଦେଲ

ଅନ୍ତରର ଗୁପତ ସ୍ଵପନେ !

ମହୀୟସି, ହେ କ୍ଷୁଦ୍ର ଧରିତ୍ରି,

ଗୁରୁ ଦେହ-ଲତା ପରେ

ଫୁଟାଇଲ ଜୀବନ ସୁମନେ ।

ଜନୟିତ୍ରୀ ମାନବ ଜାତିର,

ହେ ନାରୀ, କରଇ ନମସ୍କାର !

ଗବାକ୍ଷେ ଯେଦିନ ମତେ କଟାକ୍ଷେ ଚାହିଁଲ,

ଆଲିଙ୍ଗନେ ପାଶେ ବସାଇଲ,

ଅଲକ୍ଷ୍ୟେ ଥିଲା କି ଏ ବିଚାର ?

କି ଛଳେ ଯେ ଜନନ-ପିପାସା

ମେଣ୍ଟିବାକୁ, ମୋର ପଦତଳେ,

ଦେଲ ଦେହ ମନ ସମସ୍ତରେ,

ସୃଜନର ପିପାସାରେ

ମୋ ଆଶ୍ଳେଷେ ଆପଣାରେ

ଏକୁ କଲ ଯୁଗଳ ପ୍ରକାର !

ହେ ପ୍ରକୃତ ମାୟାବିନି,

ହେ ଧରଣୀ, ମାନବ-ଜନନୀ,

ହେ ନାରୀ ଏକାନ୍ତ-ସଖୀ, ପୁରୁଷର ନିତ୍ୟ ସଂଜୀବନୀ

ତୋ ପଦେ ତୋ ପ୍ରିୟ କରେ

ବାରମ୍ବାର ଭକ୍ତି-ନମସ୍କାର !

☆☆☆

 

ନାରୀର ଅଧିକାର

 

ପ୍ରିୟ ମମ, ଭାରି ଏ ଅନ୍ୟାୟ,

ଭାସିଯାଅ ପୁରୁଣା କଥାରେ,

ଏ ଜୀବନ- ସାର୍ଥକ କି ଖାଲି

ଦାସୀ ପରି ତୁମରି ସେବାରେ ?

ମାନବର ଜନନୀ ମୁଁ ନାରୀ,

ଜନନୀ ମୁଁ ତମ ସନ୍ତତିର,

ମାଆ ବୋଲି ପୂଜା ଯେ ପାଇବ,

ତା ଜୀବନ ହୋଇବ ଦାସୀର ?

କହିଥିଲ ପ୍ରଥମ ମିଳନେ,

ହୃଦୟର ରାଣୀ ବୋଲି ମୋତେ

ସେ କି ମୋର ଭୋଗ-ଲାଳସାରେ,

ଯଉବନ ମଦିରା ଉନ୍ମତ୍ତେ ?

ନାରୀର କି ଶ୍ରେଷ୍ଠ ଯାହା କିଛି,

ରୂପ ଏଇ ଚରମ-ସମ୍ବଳ ?

ଆମର କି ସିଦ୍ଧି ବାଣ୍ଟିବାରେ,

କୁତ୍ସିତ ଏ ଶରୀର-ମାଂସର ?

ମାନବର ମାଆଠାରୁ ତମେ

ଆଉ ବେଶୀ ଆଶା କରନାହିଁ ?

ଜନ୍ମ ଆମେ, ତମ ପାଦତଳେ

ଦାସୀ ରହି ଚିର ସେବା ପାଇଁ ?

ତମଠୁଁ ମୁଁ ବଡ଼ ଆଶା କରେ,

ପୁରୁଷତ୍ଵେ ଅନ୍ଧ ନୁହ ପ୍ରିୟ,

ହୃଦୟର ରାଣୀ ସେ ତାହାକୁ

ନ୍ୟାଯ୍ୟ ତାର ଅଧିକାର ଦିଅ ।

ତମର ଯେ ଦାସୀ ମୁଁ ସତରେ,

ସେକଥା କି ଅଜଣା ହେ ମତେ,

ତମ ହୃଦରାଣୀ ମୁଁ ଯେ କିନ୍ତୁ,

ଦେଖାଇବି ଜଗତେ କେମନ୍ତେ ?

ଜ୍ଞାନେ ମତେ କର ଗରୀୟସୀ

କରମରେ ଶିଖା କଉଶଳ,

ଧରମରେ କର ମତେ ସାଥୀ,

ଭକତିରେ କର ଟଳମଳ ।

ତେବେ ସିନା ଜୀବନ-ପଥରେ

ହେବି ତବ ସୁଯୋଗ୍ୟ ସଙ୍ଗିନୀ,

ଦୁଃଖେ ମାତା, ରତି ଅବସରେ,

ଦିବା କର୍ମେ ସହଧରମିଣୀ ।

ଖାଲି ଯଦି ଆଖି ରଖ ପ୍ରିୟ;

ଛାର ଏଇ ନାରୀ ଦେହଟାରେ

ନରକର ଦ୍ଵାର ବୋଲି ନିଶ୍ଚେ

ଘୃଣା ଦିନେ ହୋଇବ ବିକାରେ ।

ମାଟି ଦେହେ ଦେବୀକୁ ହେ ଦେଖ,

ଶ୍ରଦ୍ଧା ଦିଅ ଜଗତ୍ଜନନୀରେ,

ଶକ୍ତି ରୂପେ ଉଭା ହେବ ନାରୀ,

ତବ ଦକ୍ଷକର ସନ୍ନିଧିରେ ।

ଦୁହେଁ ସିନା ହୋଇଲେ ସମାନ

ସହଯୋଗ ହେବ ସୁଖକର,

ଗୃହଦାସୀ କରି ତ ରଖିଲ,

ଯୁଦ୍ଧେ କିଏ ଯୋଗାଇବ ଶର ?

ଚଲାଇବା ନ ଶିଖାଅ ଯଦି

ହେବୁ ଆମେ ତମ କାନ୍ଧେ ଭାର,

ଚଲେଇବା ଶିଖାଇଲେ ଆମେ

ଯୁଦ୍ଧେ ନେବୁ ତମ ତରବାର ।

କେବଳ ମୁଁ ନୁହଇ ରମଣୀ,

ନାରୀ ମୁ ଯେ ନରର ସମାନ,

ରତି ରୂପେ ଦେବି ତାକୁ ସୁଖ,

ରାଣୀ ରୂପେ ଦେବି ମୁଁ ସମ୍ମାନ !

ମାଆ ହୋଇ ରକତରୁ କାଢ଼

ବଞ୍ଚାଇବି ବଂଶ ପୁଣି ତାର

କହ କେହ୍ନେ ହେ ପୁରୁଷ-ପ୍ରିୟ

ଗୃହ-ଦାସୀ ବୋହିବ ଏ ଭାର ?

ଜ୍ଞାନେ ଗୁଣେ ହୋଇ ଗରୀୟସୀ,

କରିଲେ ମୁଁ ତବ ଦାସୀ-ପଣ

ଏବଠାରୁ ମହତ୍ତର ନର,

ନୋହିବ କି ବଳେ ହେ ଆପଣ ?

☆☆☆

 

ଧରାବତରଣ

 

–୧–

ପରିଣୟ-ପୀଠ ପରେ ଚାରି ଚକ୍ଷୁ ବିସ୍ମିତ ମିଳନ,

ପ୍ରଥମ ଯୌବନେ ସେ ଯେ ଘେନି ସ୍ଵପ୍ନ-ରସୋଚ୍ଛଳ ମନ,

ଆଜି ସଖି ମନେପଡ଼େ; ଲାଜେ ଲାଜେ ଟେକି ଉତ୍ତରୀୟ

କିଶୋରୀ-ନୟନ ଦେଇ ଚାହିଁଥିଲ ଦେଖିବାକୁ ପ୍ରିୟ ।

–୨–

ଆଜି ସଖି ପଡ଼େ ମନେ ଜୀବନର ଶେଷ ଧାପେ ଏଇ ବିଚାରଇ ।

ଫେରି ଚିତ୍ତ, ଜୀବନର ଯାହା ଦିଆ ଦେଇ ॥

ସ୍ମୃତିର ଭଣ୍ଡାରେ ବାଛେ ମହାର୍ଘ ସେ କେଉଁ ଅନୁଭବ ।

ଯା ପାଇଁ ଇଚ୍ଛି ସେ ପାରେ ପୁଣି ଏହି ଧରାରେ ସମ୍ଭବ ॥

–୩–

ଆଜି ସଖି ପଡ଼େ ମନେ ଜୀବନର ନାନା ଅଭିଜ୍ଞତା,

ନାନା ଭ୍ରାନ୍ତି, ନାନା ଅଶ୍ରୁ, କ୍ଷୁଦ୍ର ନେଇ କେତେ ତିକ୍ତ କଥା,

ଜୀବନ-ସଂଗ୍ରାମେ ଯେତେ ରକ୍ତ-କ୍ଷୟ, ଯେତେ ପରାଜୟ

ସବୁ ସଖି ପଡ଼େ ମନେ,—ଚିତ୍ତ ଆଜି ଖାଲି ସ୍ମୃତିମୟ ।

–୪–

ବିଚାରଇ କିନ୍ତୁ ସଖି, ସେ ମୁହୂର୍ତ୍ତ ପ୍ରଣୟ-ମହୀରେ,

ସେ ଆଦ୍ୟ ଚାହିଁବା ପାଇଁ ଆସିଥିଲି ଯେପରି ମହୀରେ ॥

ସବୁ ଏ ଜଞ୍ଜାଳ ବରି ନେଇଥିଲି ଜୀବନ-କ୍ଷେତ୍ରର

ମଧୁ ଭୋଗିବାକୁ ଦୁଇ ରସୋଚ୍ଛଳ କିଶୋରୀ-ନେତ୍ରର ।

–୫–

ଉଚ୍ଛଳ ଜୀବନ ଘେନି ଯୌବନର ବାସନ୍ତୀ ଦୁଆରେ

ଜୀବନର ଦୋସରକୁ ଭେଟିବାକୁ କମ୍ପିତ ହିୟାରେ

ଜୀବନର ସାର୍ଥକତା ଦେଖିବାକୁ ତାହାରି ନୟନେ

ହେ ସଖି, ଆସୁଛି ମୁଁ କି ବାରମ୍ବାର ଏ ମର୍ତ୍ତ୍ୟ ଅୟନେ ?

–୬–

ଧନ, ମାନ, ପରିବାର, ଜୀବନର ଆହବେ ବିଜୟ

ସବୁ ଆଜି ସ୍ମୃତିତଳେ ହୋଇଯାଏ ଧୀରେ ଧୀରେ ଲୟ,

ସବୁଯାଇ ରହିଯାଏ କେବଳ ସେ କେମନ୍ତେ କେଜାଣି

ମୁଗ୍‍ଧା ଏକ କିଶୋରୀର ଲାଜ-ପ୍ରେମ-ମଧୁର ଚାହାଣି ।

–୭–

ନିଷ୍ପାପ ସେ, ସ୍ଵପ୍ନମୟ, ରସମୟ, ବିମଳ ଦି’ ଆଖି ।

ପ୍ରାଣର ଦି’ ବାତାୟନ, ଅନ୍ତରର ସତ୍ୟ-ବାହୀ ସାଖୀ,

ପାଇବାକୁ ସେ ଦୁଇର ପରିପୂର୍ଣ୍ଣ ଆତ୍ମ-ସମର୍ପଣ

ହେ ସଖି, କରୁଛି ମୁଁ କି ଜନ୍ମେ ଜନ୍ମେ ଧରାବତରଣ !

Image